ସନ୍ଷ୍ଟାର ଟିଭି ବ୍ୟୁରୋ
ଓ୍ଵାସିଂଟନ: ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ ଶପଥ ଗ୍ରହଣ ସମାପ୍ତ ହୋଇ ଆରମ୍ଭ ହେଲା ଆମେରିକାରେ ବାଇଡେନ୍ଙ୍କ ଯୁଗ । ଏହା ସହ ଟ୍ରମ୍ପ୍ ଯୁଗର ପରିସମାପ୍ତି ମଧ୍ୟ ଘଟିଛି । ରିପବ୍ଲିକାନ ପାର୍ଟିରୁ ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଟ୍ରମ୍ପ୍ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବାଇଡେନ୍ଙ୍କଠାରୁ ପରାସ୍ତ ହୋଇଥିଲେ। ତେବେ ନିର୍ବାଚନରେ ବଡ଼ ଧରଣର ଜାଲିଆତି ହୋଇଛି ବୋଲି ସେ ଅଭିଯୋଗ ଆଣିବା ସହ ନିର୍ବାଚନ ପରିଣାମକୁ ଗ୍ରହଣ କରିନଥିଲେ। ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ମଧ୍ୟ ଆମେରିକାର ଗଣତନ୍ତ୍ର ପାଇଁ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ଘଟଣା। ଏହା ସହ ଭାରତ ପାଇଁ ଏକ ଗର୍ବର କାରଣ ପାଲଟିଛନ୍ତି। କମଳା ମଧ୍ୟ ତାଙ୍କ ସଫଳତାର ସବୁ ଶ୍ରେୟ ତାଙ୍କ ମା’ ଶ୍ୟାମଳା ଗୋପାଳନ୍ଙ୍କୁ ଦେଇଛନ୍ତି । ହାରିସ୍ ଶପଥ ଗ୍ରହଣ ପୂର୍ବରୁ କହିଥିଲେ, ମା’ଙ୍କ ତ୍ୟାଗ ପାଇଁ ହିଁ ମୁଁ ଆଜି ଏ ସଫଳତା ହାସଲ କରିଛି।
ଜୋ ବାଇଡେନ୍ ଏବଂ କମଳା ହାରିସ୍ଙ୍କ ଶପଥ ଗ୍ରହଣ କଡ଼ା ସୁରକ୍ଷା ମଧ୍ୟରେ ହୋଇଛି। ତେବେ ବାଇଡେନ୍-ହାରିସ୍ଙ୍କ ଶପଥଗ୍ରହଣ ଉତ୍ସବ ଆମେରିକା ଇତିହାସରେ ସବୁଠୁ ଭିନ୍ନ। ଖୁବ୍ କମ୍ ସଂଖ୍ୟକ ଅତିଥି କେବଳ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ। ସମଗ୍ର ବିଶ୍ବରୁ ଲୋକଙ୍କ ପ୍ରତିନିଧିତ୍ବ ପାଇଁ ନ୍ୟାସନାଲ୍ ମଲ୍ରେ ୨ ଲକ୍ଷ ପତାକା ସଜାଯାଇଥିଲା । ତେବେ କ୍ୟାପିଟଲ୍ ହିଲ୍ ହିଂସାକାଣ୍ଡ ପରେ ଶପଥ ଗ୍ରହଣ ଉତ୍ସବ ପାଇଁ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଶପଥଗ୍ରହଣ ପୂର୍ବରୁ ପାରମ୍ପରିକ ଇନାଗୁରେସନ୍ ପରେଡ୍ ପରିବର୍ତ୍ତେ ଚଳିତଥର ଭର୍ଚୁଆଲ୍ ପରେଡ୍ ହୋଇଥିଲା। ବିମାନବନ୍ଦରରେ ସୁରକ୍ଷା କଡ଼ାକଡ଼ି କରିବା ସହ ୮୮୦ ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ‘ନୋ ଫ୍ଲାଏ’ ଲିଷ୍ଟ୍ରେ ସାମିଲ୍ କରାଯାଇଛି।