ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ପୁଣି ସରକାର ଆଣିଲେ ଟ୍ରାଫିକ୍ ପାଇଁ ନୂଆ ନିୟମ । ଗାଡ଼ି ଚାଳକଙ୍କ ପାଇଁ ଆଉ ଏକ ଜରୁରୀ ସୂଚନା। ରାଜ୍ୟ ସରକାର ଟ୍ରାଫିକ ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି। ନୂଆ ନିୟମ ଅନୁସାରେ ଏବେ କାରର ପଛ ସିଟରେ ମଧ୍ୟ ସିଟ୍ ବେଲ୍ଟ ଲଗାଇବା ଜରୁରି ହୋଇଯାଇଛି । ଏବଂ ଦୁଇଚକିଆ ଯାନରେ ସାଇଡ୍ ମିରର ରହିବା ମଧ୍ୟ ବାଧ୍ୟତାମୂଳକ । ନହେଲେ ଟ୍ରାଫିକ୍ ପୋଲିସ ଆପଣଙ୍କ ଚାଲାଣ କାଟିବେ।
ବାଇକରେ ମିରର ନଥିଲେ ଆପଣଙ୍କଠାରୁ ନିଆଯିବ ଫାଇନ ଏହାସହ କାରର ପଛ ସିଟରେ ବସିଥିଲେ ବି ଲଗାଇବାକୁ ପଡ଼ିବ ସିଟ୍ ବେଲ୍ଟ। ତେବେ ଏପରି ନିୟମ ଦିଲ୍ଲୀ ସରକାର ଲାଗୁ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ଟ୍ରାଫିକ୍ ପୋଲିସ ଏହି ସମ୍ବନ୍ଧରେ ଆଦେଶ ଜାରି କରି କହିଛି କି ଅଧିକାଂଶ ବାଇକରେ ସାଇଡ୍ ମିରର ରହୁନାହିଁ । ଯଦିଓ କିଛି ଲୋକ ଜାଣିଶୁଣି ମିରର କାଢି ଦିଅନ୍ତି । ଏଥିରେ ଡ୍ରାଇଭିଂ ସମୟରେ ଆକ୍ସିଡେଣ୍ଟ ହେବାର ବିପଦ ଅଧିକ ରହିଥାଏ। କାରଣ ଗାଡ଼ି ଚାଳକଙ୍କୁ କିଏ ଓଭର ଟେକ୍ କଲେ ତାହା ସେ ଜାଣିପାରନ୍ତି ନାହିଁ । ତେଣୁ ଦୁର୍ଘଟଣା ଘଟିବାର ଆଶଙ୍କା ଅଧିକ ରହିଥାଏ। କେବଳ ଯେ, ଦୁର୍ଘଟଣା ନୁହେଁ ବରଂ ଜୀବନ ଯିବାର ମଧ୍ୟ ଅନେକ ସମ୍ଭାବନା ରହିଥାଏ।
ମୋଟର ଭେଇକଲ୍ ଆକ୍ଟ ୧୯୮୮ ଓ ସେଣ୍ଟ୍ରାଲ ମୋଟର ଭେଇକଲ ଆକ୍ଟ ୧୯୮୯ ରେ ଏହି ନିୟମ ଉଲ୍ଲେଖ କରାଯାଇଛି । କିନ୍ତୁ ଏବେ ଦିଲ୍ଲୀ ଟ୍ରାଫିକ୍ ପୋଲିସ ଏହି ନିୟମ ପାଳନ କରିବ ବୋଲି ସୂଚନା ରହିଛି। ବର୍ତ୍ତମାନ ସମୟରେ ଲୋକଙ୍କଠାରୁ ଅଳ୍ପ କେତେ ଟଙ୍କା ଜୋରିମାନା ଆଦାୟ କରାଯିବା ସହ ବୁଝାଯିବ ବୋଲି ଦିଲ୍ଲୀ ପୋଲିସ କହିଛି। ବିଭାଗ ପକ୍ଷରୁ ସୂଚନା ମିଳିଛି ଯେ, କାରର ପଛ ସିଟ ବେଲ୍ଟ ନଲଗାଇଲେ ୧୦୦୦ ଟଙ୍କା ଜୋରିମାନା ଲଗାଯିବ । ଏବଂ ବାଇକରେ ସାଇଡ୍ ମିରର ନଲଗାଇଲେ ୫୦୦ ଟଙ୍କାର ଚାଲାଣ କଟାଯିବ । ତେବେ ଏହି ନିୟମ ଲାଗୁ ହେବା ପରେ ରାଜଧାନୀ ଦିଲ୍ଲୀରେ ଦୁର୍ଘଟଣା କମିବ ବୋଲି ଆଶା ରଖିଛି ପରିବହନ ବିଭାଗ ।