ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ସଂସଦର କ୍ୟାଣ୍ଟିନ ଖାଦ୍ୟରେ ଆଉ ମିଳିବନି ସବସିଡି । ଏହାକୁ ସଂପୂର୍ଣ୍ଣ ବନ୍ଦ କରାଯିବା ନେଇ ମଙ୍ଗଳବାର ଦିନ ଲୋକସଭା ବାଚସ୍ପତି ଓମ ବିର୍ଲା ସୂଚନା ଦେଇଛନ୍ତି । ଯାହା ଫଳରେ ଏବେ ସଂସଦର କ୍ୟାଣ୍ଟିନରେ ଖାଇବା ଦର ମହଙ୍ଗା ହେବ । କମ୍ ଟଙ୍କାରେ ସଂସଦରେ ଖାଦ୍ୟ ମିଳୁଥିବାରୁ ଏହା ସବୁବେଳେ ବିବାଦ ଘେରରେ ରହିଥାଏ ।
ଏହି ସବ୍ସିଡି ବନ୍ଦ ହେଲେ କେତେ ଟଙ୍କା ବଞ୍ଚିପାରିବ ସେ ନେଇ ସଂସଦରେ ସୂଚନା ଦିଆନଗଲେ ମଧ୍ୟ ଏଥିରୁ ସଂସଦ ବାର୍ଷିକ ୮ କୋଟି ଟଙ୍କା ସଞ୍ଚୟ କରିହେବ ବୋଲି ଜାତୀୟ ଗଣମାଧ୍ୟମ ସଂସ୍ଥା ପିଟିଆଇ କହିଛି । ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ ବଜେଟ ଅଧିବେଶନରୁ ହିଁ କ୍ୟାଣ୍ଟିନରେ ସବସିଡି ବ୍ୟବସ୍ଥା ବନ୍ଦ କରାଯିବ । ଚଳିତ ବର୍ଷଠୁ ଉତ୍ତର ରେଲୱେ ବଦଳରେ ଭାରତୀୟ ପର୍ଯ୍ୟଟନ ବିକାଶ ନିଗମ (ଆଇଟିଡିସି) ସଂସଦର କ୍ୟାଣ୍ଟିନ ବ୍ୟବସ୍ଥାର ସଞ୍ଚାଳନା କରିବ ।
ସୂଚନା ଅନୁସାରେ କ୍ୟାଣ୍ଟିନରେ ଦିଆଯାଉଥିବା ସବସିଡି ବନ୍ଦ କରିବାକୁ ଲୋକସଭା ବାଚସ୍ପତି ଓମ ବିର୍ଲା ହିଁ ପରାମର୍ଶ ଦେଇଥିଲେ । ଆଉ ଏହି ପ୍ରସଙ୍ଗରେ ସମସ୍ତ ପକ୍ଷ ମଧ୍ୟ ସହମତି ପ୍ରକାଶ କରିଛନ୍ତି । ତେବେ ଅନେକ ସମୟରେ ସଂସଦର କ୍ୟାଣ୍ଟିନରେ ମିଳୁଥିବା ସବସିଡି ବିବାଦର ଅଂଶ ପାଲଟିଥାଏ । ସବସିଡି ଯୋଗୁଁ ସଂସଦର କ୍ୟାଣ୍ଟିନରେ ଦେଶର ସାଂସଦ ମାନଙ୍କୁ ଖୁବ୍ କମ୍ ଦାମରେ ଖାଇବା ମିଳିଥାଏ । ଖାଲି ଏତିକି ନୁହେଁ ଟିକସଦାତାଙ୍କ ପଇସାରେ ସାଂସଦ ମାନେ ଶସ୍ତାରେ ଖାଦ୍ୟ ଖାଉଛନ୍ତି ବୋଲି ଚର୍ଚ୍ଚା ହୋଇଥାଏ ।