ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଭୁବନେଶ୍ଵର ବାସିନ୍ଦାଙ୍କ ପାଇଁ ଖୁସି ଖବର । ଆସନ୍ତା ୨୧ରୁ ଆରମ୍ଭ ହେବାକୁ ଯାଉଛି ସୁପ୍ରସିଦ୍ଧ ତୋଷାଳି ମେଳା । ଜାନୁଆରୀ ୨୧ରୁ ଆରମ୍ଭ ହୋଇ ଫେବୃଆରୀ ୪ ପର୍ଯ୍ୟନ୍ତ ଜନତା ମଇଦାନରେ ଅନୁଷ୍ଠିତ ହେବ ଏହି ୧୫ତମ ଜାତୀୟ ତୋଷାଳି ମେଳା । ତେବେ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଉଦଘାଟନ କରିବେ । ଦେଶର ବିଭିନ୍ନ ରାଜ୍ୟରୁ କାରିଗର, ବୁଣାକାର ଏହି ମେଳାରେ ସାମିଲ ହେବେ ।ତେବେ ପ୍ରତିବର୍ଷ ଏହି ମେଳାକୁ ଦେଖିବାକୁ ଓ ବିଭିନ୍ନ ଘରକରଣା ଜିନିଷ କିଣିବାକୁ ଲକ୍ଷ ଲକ୍ଷ ଲୋକ ରୁଣ୍ଡ ହୋଇଥାନ୍ତି ।
ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ୨୫୦ ଟି ଷ୍ଟଲ ପଡିବାର ବ୍ୟବସ୍ଥା କରାଯାଇଛି । ୮୦ ଟି ବାହାର ରାଜ୍ୟର ଓ ୧୭୦ ଟି ରାଜ୍ୟର ଷ୍ଟଲ ରହିବ । ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ମେଳାରେ ବୟସ୍କ, ଶିଶୁ ଓ ଭିନ୍ନକ୍ଷମଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ମେଳାରେ କୋଭିଡ ନିୟମକୁ କଡାକଡ଼ି ଭାବେ ପାଳନ କରାଯିବ ।
ଏଥି ସହ ମାସ୍କ ଓ ସାମାଜିକ ଦୂରତା ନିୟମକୁ ଗୁରୁତ୍ୱ ଦିଆଯିବ । ରାଜ୍ୟରେ କୋଭିଡ଼ ସ୍ଥିତିକୁ ଦୃଷ୍ଟିରେ ରଖି ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।