ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଉଷୁନା ଚାଉଳ ନେବାକୁ କେନ୍ଦ୍ର ସରକାର ମନା କରିବା ପରେ ଗତକାଲି ପ୍ରେସ ମିଟ ଡକାଇ କେନ୍ଦ୍ର ସରକାର ଚାଷୀମାରଣ ନୀତି ଆପଣାଉଛି ବୋଲି ଅଭିଯୋଗ କରିଥିଲେ ଓଡିଶା ଶାସକ ଦଳ । ତେବେ ଆଜି ଏହାର ଉତ୍ତର ରଖିଛନ୍ତି ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର । ଆଜି ପ୍ରେସମିଟ ଡକାଇ ବିଜେଡି ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହିତ ଭୁଲ୍ ତଥ୍ୟ ଦେଇ ସାଧାରଣ ଚାଷୀମାନଙ୍କୁ ବିଭ୍ରାନ୍ତ କରିବାକୁ ବିଜେଡି ଚେଷ୍ଟା କରୁଛି ବୋଲି ଲେଖାଶ୍ରୀ କହିଛନ୍ତି ।
ସେ ଆଉ ମଧ୍ୟ କହିଛନ୍ତି ଯେ ବିଜେଡି ନେତାମାନେ ଧାନ ବିଷୟରେ ନକହି ଚାଉଳ ବିଷୟରେ କହୁଛନ୍ତି । ଚାଷୀ ଧାନ ବିକ୍ରି କରେ ଆଉ ମିଲର ଚାଉଳ ବିକ୍ରି କରନ୍ତି ।ଚାଉଳ ସହିତ ଚାଷୀର ସମ୍ପର୍କ ନାହିଁ । ଶାସକ ବିଜେଡି ଚାଷୀଙ୍କୁ ଶୋଷଣ କରି ମିଲରମାନଙ୍କ ସ୍ଵାର୍ଥ ଦେଖୁଛି । ମଣ୍ଡି ଭିତିଭୂମି ପାଇଁ କେନ୍ଦ୍ର ସରକାର ଅର୍ଥର ବ୍ୟବସ୍ଥା କରିଥିବା ସ୍ଥଳେ ଅଦ୍ୟାବଧି ଓଡିଶାରେ ମଣ୍ଡି ଭିତିଭୂମି ସୁଧୁରିନାହିଁ । ଧାନ ଅଖା ପାଇଁ କେନ୍ଦ୍ର ଟଙ୍କା ଦେଉଥିଲେ ମଧ୍ୟ ଚାଷୀଙ୍କୁ ଅଖାର ଟଙ୍କା ଦିଆଯାଉନାହିଁ । ସେହିଭଳି ଏବର୍ଷ ଧାନକିଣା ପାଇଁ କେନ୍ଦ୍ର ସରକାର ୧୮ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦେଉଥିଲେ ମଧ୍ୟ ଓଡିଶାରେ ଅଦ୍ୟାବଧି ଅର୍ଦ୍ଧାଧିକ ଜିଲ୍ଲାରେ ଧାନମଣ୍ଡି ଖୋଲିନାହିଁ । ଡିସେମ୍ବର ୧ ତାରିଖରୁ ସମସ୍ତ ମଣ୍ଡି ଖୋଲିବା ନେଇ ରାଜ୍ୟସରକାର ଘୋଷଣା କରିଥିଲେ । କିନ୍ତୁ ମଣ୍ଡି କେବେ ଖୋଲି ବନ୍ଦ ହୋଇଗଲା ଚାଷୀ ତାହା ଜାଣିପାରିଲେ ନାହିଁ ବୋଲି ବିଜେପି ଅଭିଯୋଗ କରିଛି । ଆଗାମୀ ଦିନରେ ଆରଡିସି ଅଫିସ ଘେରାଓ ଥିବାରୁ ବିଜେଡି ମନରେ ଛନକା ପଶିଛି ଓ ବିଜେଡି ଆଜି କାଠଗଡାରେ ଛିଡା ହୋଇଛି ବୋଲି ଦଳ କହିଛି ।
ବିଜେଡି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ବିଜେପି କହିଛି, କଟ୍ନି ଛଟ୍ନି ନାଁ ରେ କଟାଯାଉଥିବା ଧାନର ଅର୍ଥ ବିଜେଡି ଫଣ୍ଡକୁ ଯାଉଛି । ଚାଷୀଙ୍କ ପେଟକୁ ମାରିକି ବିଜେଡି ଦଳୀୟ ସଙ୍ଗଠନ ଚଲାଉଛି ।
। ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ରାଜ୍ୟସରକାର ସମସ୍ତ ଜିଲ୍ଲାରେ ମଣ୍ଡି ଖୋଲି ଧାନ କିଣନ୍ତୁ ନଚେତ୍ ଆଗାମୀ ଦିନରେ ରାଜ୍ୟବ୍ୟାପୀ ବିକ୍ଷୋଭ କରାଯିବ ବୋଲି ଡ.ସାମନ୍ତସିଂହାର ଚେତାବନୀ ଦେଇଛନ୍ତି।
ଲେଖାଶ୍ରୀ ଆଉ ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାର ଉଷୁନା ଚାଉଳ ନେବା ପାଇଁ ମନା କରିଛନ୍ତି ଅରୁଆ ଚାଉଳ ଯେତେ ଦେଲେ ମଧ୍ୟ କେନ୍ଦ୍ର ସରକାର ନେବେ ।