ସନ୍ଷ୍ଟାର ଟିଭି ବ୍ୟୁରୋ
ଦିନକୁ ଦିନ ରାଜପଥରେ ବଢୁଛି ଅମାନିଆଙ୍କ ଉତ୍ପାତ । ତେଣୁ ଏମାନଙ୍କୁ ସଠିକ ବାଟକୁ ଆଣିବାପାଇଁ ରାଜ୍ୟ ପରିବହନ ଆପଣାଇଛି ନୂଆ ଉପାୟ । ଏଣିକି ଜାତୀୟ ରାଜପଥରେ ଅମାନିଆ ଗାଡି ଚାଳକଙ୍କୁ କ୍ଲୋଜସର୍କିଟ୍ କ୍ୟାମେରା ଜଗିବ । ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱର ଠାରୁ ଯାଜପୁରର ପାଣିକୋଇଲି ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥରେ ସିସିଟିଭି କ୍ୟାମେରା ଲଗାଯିବ । ଏବଂ ଏନ୍ଏଚର ପ୍ରତି ୪ ରୁ ୫ କିଲୋମିଟର ମଧ୍ୟରେ ଏହି କ୍ୟାମେରା ଲଗାଯିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ କମିଶନର ।
ପରିବହନ କମିଶନର ସଂଜୀବ ପଣ୍ଡା କହିଛନ୍ତି, ଏଥିପାଇଁ ଟେଣ୍ଡର ଆବେଦନ ଶେଷ ହୋଇଛି । ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ସିସିଟିଭି ଲଗାଇବା କାମ ମଧ୍ୟ ଆରମ୍ଭ ହୋଇଯିବ । ଫଳରେ ଦ୍ରୁତଗତି ଚାଳକ, ନକଲି ନମ୍ବର ପ୍ଲେଟଧାରୀଙ୍କୁ ଚିହ୍ନଟ କରାଯାଇପାରିବ। ଏହା ସହ ପବ୍ଲିକ ସର୍ଭିସ ଯାନରେ ଜିପିଏସ୍ ବ୍ୟବସ୍ଥା ବାଧ୍ୟତାମୂଳକ ନିୟମ ରହିଛି । ଏହାକୁ କଡାକଡି କରିବାକୁ ଭେଇକିଲ୍ ଲୋକେସନ ଟ୍ରାକିଂ ସିଷ୍ଟମ ଲାଗୁ କରାଯିବ । ତେବେ ଏଥିପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ବ୍ୟବସ୍ଥାକୁ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ଏହି ବ୍ୟବସ୍ଥା ଦ୍ୱାରା ଗାଡିର ଲୋକେସନ ଓ ଯାତ୍ରୀଙ୍କ ସୁରକ୍ଷା ଉପରେ ନଜର ରଖାଯାଇ ପାରିବ ।
ସାରା ରାଜ୍ୟରେ ଆଜି ଠାରୁ ସଡ଼କ ସୁରକ୍ଷା ମାସ ପାଳିତ ହେଉଥିବା ବେଳେ ଦୁର୍ଘଟଣା କମାଇବା ପାଇଁ ଏପରି ପଦକ୍ଷେପ ନିଆଯାଇଥିବା କହିଛନ୍ତି ପରିବହନ କମିଶନର।