ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ହାଇସ୍କୁଲରେ ଶିକ୍ଷକ ଅଭାବ ସାଙ୍ଗକୁ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ୍ ପ୍ରୋସିଡିୟୋର୍ (ଏସ୍ଓପି) ଦଶମ ଶ୍ରେଣୀ ଶିକ୍ଷାଦାନରେ ବାଧକ ସାଜିଛି। ଚଳିତମାସ ୮ତାରିଖରୁ ହାଇସ୍କୁଲ ଖୋଲାଯାଇଥିଲେ ମଧ୍ୟ ପାଠପଢ଼ାରେ ଅନେକ ବିଭ୍ରାଟ ହେଉଥିବା ସୂଚନା ମିଳିଛି। ପାଠ ବିଷୟର ଶିକ୍ଷକ ଯଥେଷ୍ଟ ସଂଖ୍ୟାରେ ନଥିବାରୁ ଜଣେ ଶିକ୍ଷକଙ୍କୁ ନିରନ୍ତର ଭାବେ ୫ ରୁ ୬ଟି କ୍ଲାସ୍ କରିବାକୁ ପଡ଼ୁଛି। ଅନ୍ୟ ପକ୍ଷରେ ଅଧିକାଂଶ ସ୍କୁଲରେ ବିଜ୍ଞାନଶିକ୍ଷକ ପଦ ଖାଲି ପଡ଼ିଥିବାରୁ ଉଭୟ ଭୌତିକ ବିଜ୍ଞାନ ଓ ଜୀବ ବିଜ୍ଞାନ ବିଷୟ ଆଗେଇ ପାରୁ ନାହିଁ। ଏପରି ସ୍ଥଳେ ଶହେ ଦିନରେ ପାଠ୍ୟକ୍ରମ ସଂପୂର୍ଣ୍ଣ କରିବା ଏକ ପ୍ରକାର ଅସମ୍ଭବ ବ୍ୟାପାର ହୋଇଛି। ସମସ୍ୟାର ସମାଧାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ୍ ଶିକ୍ଷାଧିକାରୀମାନେ ଏବେ ବିଭିନ୍ନ ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକଙ୍କ ତାଲିକା ମଗାଇବା ଆରମ୍ଭ କରିଛନ୍ତି।
ଶିକ୍ଷକ ଅଭାବ ଥିବା ସ୍କୁଲରେ ଅବସରପ୍ରାପ୍ତ ବିଷୟ ଶିକ୍ଷକ ବା ଯୁକ୍ତ ଦୁଇ ଶିକ୍ଷକଙ୍କୁ ସାମୟିକ ଭାବେ ନିଯୁକ୍ତି ଦେବାକୁ ଯୋଜନା ଚାଲିଛି। ଆସନ୍ତା ସପ୍ତାହରେ ଏଭଳି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ଓ ବ୍ଲକ୍ ଶିକ୍ଷାଧିକାରୀ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି।