ସନ୍ଷ୍ଟାର ଟିଭି ବ୍ୟୁରୋ
ସମ୍ବଲପୁର: ରାଜ୍ୟରେ ଦିନକୁ ଦିନ ନକଲି କାରଖାନାର ପେଣ୍ଠସ୍ଥଳୀର ଗୁମର ଖୋଲୁଛି । ପ୍ରଥମେ ନକଲି ଘିଅ, ତେଲ, ପନିର, ଜର୍ଦ୍ଦା ପରେ ଏବେ ଲୁଗା ସଫା ସର୍ଫ ବି ନକଲି ବାହାରିଲା । ଗତକାଲି ସମ୍ବଲପୁର ବରେଇପାଲି ନୂଆପଡ଼ା ଅଞ୍ଚଳର ଏକ ଡିଟର୍ଜେଣ୍ଟ ଗୋଦାମରେ ପୋଲିସ ଚଢାଉ କରି ୨୩୯ ବସ୍ତା ସର୍ଫ ଜବତ କରିଛି। ନାମୀଦାମୀ ବ୍ରାଣ୍ଡ୍ ସହ ନକଲି ବ୍ରାଣ୍ଡ୍କୁ ଏକାଠି କରି ରଖାଯାଇଥିବା ସନ୍ଦେହରେ କ୍ଷେତରାଜପୁର ଓ ଅଇଁଠାପାଲି ପୋଲିସ୍ ଚଢାଉ କରିଥିଲା।
ପ୍ରଥମେ କ୍ଷେତରାଜପୁର ଅଞ୍ଚଳର ଏକ ଦୋକାନରେ ରେଡ୍ ସମୟରେ ୫ ବସ୍ତା ନକଲି ଲୁଗା ସଫା ସର୍ଫ ଜବତ ହୋଇଥିଲା। ଏହାପରେ ସମ୍ପୃକ୍ତ ଦୋକାନୀଙ୍କ ସୂଚନା ଆଧାରରେ ଗୋଦାମ ଉପରେ ଚଢାଉ କରିଥିଲା ପୋଲିସ୍। ଗୋଦାମରେ ଗଚ୍ଛିତ ଥିବା ୨୩୯ ବସ୍ତା ଲୁଗା ସଫା ସର୍ଫରୁ କିଛି ବସ୍ତାକୁ ପରୀକ୍ଷା ପାଇଁ ପଠାଯାଇଥିଲା। ପରୀକ୍ଷା ପରେ ଗୋଦାମରେ ନକଲି ଡିଟର୍ଜେଣ୍ଟ ପାଉଡ଼ର ଥିବା ଜଣାପଡ଼ିଥିଲା।