ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟକୁ ଫେରିଲା ଶୀତ । ଗତ କିଛି ଦିନ ହେବ ରାଜ୍ୟରେ ଶୀତର ପ୍ରକୋପ କମ୍ ଥିଲା ବେଳେ ଗତ ୨୪ ଘଣ୍ଟା ହେଲା ହଠାତ ଶୀତର ପ୍ରକୋପ ବଢିବାରେ ଲାଗିଛି । ଶୀତ ସହିତ ଘନ କୁହୁଡିରେ ମଧ୍ୟ ଆଚ୍ଛାଦିତ ରହିଛି ସାରା ରାଜ୍ୟ । ରାଜ୍ୟରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରିକୁ ଖସି ଆସିଛି।ଫୁଲବାଣୀ ବ୍ୟତୀତ ରାଜ୍ୟର ୪ ସହରର ତାପମାତ୍ରା ମଧ୍ୟ ୧୦ ଡିଗ୍ରି ତଳେ ରହିଛି । ଗତ ୨୪ ଘଣ୍ଟାରେ ଆଭ୍ୟନ୍ତର ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୩ରୁ ୪ଡିଗ୍ରି ଖସିଥିବା ବେଳେ ଉପକୂଳରେ ୧ ଡିଗ୍ରି କମିଛି ।
କେନ୍ଦୁଝର, ଅନୁଗୁଳ, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାର କିଛି କିଛି ଅଞ୍ଚଳରେ ବି କୁଡୁଡ଼ି ଦେଖିବାକୁ ମିଳିଛି । ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୬ଡିଗ୍ରି ରେକର୍ଡ ହୋଇଛି । ସେହିପରି ଝାରସୁଗୁଡ଼ାରେ ୭.୪ ଡିଗ୍ରି, ଦାରିଙ୍ଗବାଡ଼ି ୮.୫ ଡିଗ୍ରି, ସୁନ୍ଦରଗଡ଼ ୯.୦ ଡିଗ୍ରି ଓ ବଲାଙ୍ଗୀରରେ ୧୦ ଡିଗ୍ରି ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମ୍ ରହିଛି । ଅନ୍ୟପଟେ ଝାରସୁଗୁଡ଼ାରେ ଶୀତ ଲହରି ପୁଣି ଫେରିଛି । ଏଠାରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୫ ଡିଗ୍ରି ପର୍ଯ୍ୟନ୍ତ କମ୍ ରହିଛି । ଶୀତ ଅପେକ୍ଷା କୁହୁଡି ସାଧାରଣ ଜୀବନକୁ ଅଧିକ ଅସ୍ତବ୍ୟସ୍ତ କରୁଛି । ଆଜି ସକାଳ ୧୦ ଯାଏଁ ରାଜଧାନୀ ଭୁବନେଶ୍ଵରରେ କୁହୁଡି ଦେଖାଯାଇଥିଲା ।