ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ସୀମା ତଥା ବୈଚାରିକ ବିବାଦ ମଧ୍ୟରେ ନରମିଲା ନେପାଳ। ଦିଲ୍ଲୀ ଆସି ବଦଳିଗଲା ଧମକପୂର୍ଣ୍ଣ ବୟାନ । ମହଙ୍ଗା ପଡିପାରେ ଭାରତ ସହ ପଙ୍ଗା, ଏହି କଥାକୁ ପ୍ରଧାନମନ୍ତ୍ରୀ କେପି ଓଲି ବୁଝିଛନ୍ତି। ସେଥିପାଇଁ ବୋଧ ହୁଏ, ନେପାଳ ବୈଦେଶିକ ମନ୍ତ୍ରୀ ତାଙ୍କର ପୁରୁଣା ବୟାନରେ ୟୁଟର୍ଣ୍ଣ ମାରିଛନ୍ତି ।
ନୂଆଦିଲ୍ଲୀ ଗସ୍ତରେ ଆସିଥିବା ନେପାଳ ବୈଦେଶିକ ମନ୍ତ୍ରୀ ପ୍ରଦୀପ କୁମାର ଗ୍ୟାୱାଲି ଏକ ବଡ ଘୋଷଣା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଭାରତୀୟ ସେନାରେ ଗୋର୍ଖା ରେଜିମେଣ୍ଟ ରେ କୌଣସି ପରିବର୍ତ୍ତନ ହେବ ନାହିଁ। ପୂର୍ବପରି କାଠମାଣ୍ଡୁ ତାର ସ୍ଥିତି ବଜାୟ ରଖିବ। ପୂର୍ବପରି ଭାରତୀୟ ସେନାରେ ଗୋର୍ଖାଙ୍କୁ ନିଯୁକ୍ତି ଜାରି ରହିବ।
ମନ୍ତ୍ରୀ ପ୍ରଦୀପ ଗ୍ୟାୱାଲି କହିଛନ୍ତି, “ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗୋଟିଏ ବିଷୟରେ ନାନା ଲୋକଙ୍କ ନାନା ମତ ଥାଇପାରେ, କିନ୍ତୁ ଏପର୍ଯ୍ୟନ୍ତ ନେପାଳ ସରକାର ଗୋର୍ଖା ରେଜିମେଣ୍ଟ ନିଯୁକ୍ତି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ପରିବର୍ତ୍ତନ କରି ନାହାଁନ୍ତି କିମ୍ବା ଏ ବାବଦରେ କୌଣସି ନୂତନ ନିଷ୍ପତ୍ତି ନେଇ ନାହାଁନ୍ତି।” ତେବେ ସୀମା ବିବାଦ ପରେ ଗତବର୍ଷ ଏଗି ବୈଦେଶିକ ମନ୍ତ୍ରୀ ହିଁ, ଗୋର୍ଖା ରେଜିମେଣ୍ଟରେ ନେପାଳି ନିଯୁକ୍ତି ଅନାବଶ୍ୟକ ବୋଲି କହିଥିଲେ।
ସୂଚନାଯୋଗ୍ୟ, ୧୯୪୭ରେ ନେପାଳ-ଭାରତ-ବ୍ରିଟେନ ମଧ୍ୟରେ ଏକ ତ୍ରୀରାଷ୍ଟ୍ରିୟ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଯେଉଁଥିରେ ଉଭୟ ବ୍ରିଟିଶ ଓ ଭାରତୀୟ ସେନାରେ ଖୋର୍ଖାଙ୍କୁ ନିଯୁକ୍ତି ଦିଆଯିବା ନେଇ ସମସ୍ତେ ସହମତି ପ୍ରକାଶ କରିଥିଲେ। ନେପାଳର ଏକ ସ୍ୱତନ୍ତ୍ର ସମୁଦାୟ ହେଉଛନ୍ତି ଗୋର୍ଖା। ଏମାନଙ୍କ ବିରତ୍ୱ ଓ ସଚୋଟତା ଅତୁଳନୀୟ। ଖୋଦ୍ ଭାରତର CDS ବିପିନ ରାୱତ ୫/୧୧ ଗୋର୍ଖା ରେଜିମେଣ୍ଟରୁ ଆସିଛନ୍ତି।