ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଲକଡାଉନ, ସଟଡାଉନ ପରେ ମହାମାରୀ କୋରୋନା ଉପରେ ବ୍ରହ୍ମାସ୍ତ୍ର ମାଡ। ଆଜିଠାରୁ ଦେଶବ୍ୟାପୀ ଟିକାକରଣ ହେବ। ତେବେ ପ୍ରଥମ ପର୍ଯ୍ୟାୟରେ କେବଳ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କୁ ଟିକା ଦିଆଯିବ। ଦିନ ସାଢେ ୧୦ଟାରେ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ। ଭିସି ମାଧ୍ୟମରେ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା କରିବାର ବି କାର୍ଯ୍ୟକ୍ରମ ରହିଛି।
ପ୍ରଥମ ପର୍ଯ୍ୟୟରେ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଙ୍କୁ ମିଶାଇ ପ୍ରାୟ ୨୭ କୋଟି ଲୋକଙ୍କୁ କୋରୋନା ଟିକା ଦିଆଯିବ। ଏଥିରେ କୋରୋନା ଯୋଦ୍ଧା, ରୋଗୀ ଓ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ସାମିଲ ଅଛନ୍ତି। ଟିକାକରଣ ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ covishield ଓ COVAXIN ନାମକ ୨ଟି ଟିକା ଯୋଗାଇ ଦିଆଯାଇଛି। ତେବେ ଟିକାକରଣ ନେଇ ଏକ ସ୍ୱତନ୍ତ୍ର ଗାଇଡଲାଇନ ମଧ୍ୟ ଜାରି କରାଯାଇଛି।
ରାଜ୍ୟର ସମସ୍ତ ଜିଲ୍ଲାରେ କୋରୋନା ଟିକା ପହଞ୍ଚି ସାରିଛି। ରାଜଧାନୀ ଭୁବନେଶ୍ୱର ୬ଟି କେନ୍ଦ୍ର ସମେତ ରାଜ୍ୟର ମୋଟ ୧୬୧ଟି ସ୍ଥାନରେ ଟିକାକରଣ କରାଯିବ। ଯେଉଁମାନେ ଟିକା ନେବେ ସେମାନଙ୍କୁ ଆଗୁଆ ମେସେଜ୍ ଦିଆଯାଇଛି। ଭୁବନେଶ୍ୱର ଓ ସୁନ୍ଦରଗଡରେ ଏହାର ଶୁଭାରମ୍ଭ ହେବ। ମଧ୍ୟାହ୍ଣ ୧୨ଟାରେ ହିତାଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିବେ।
ରାଜ୍ୟରେ ବିଭିନ୍ନ ବର୍ଗର ୧୬ ହଜାରରୁ ଊର୍ଦ୍ଧ୍ୱ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ ହେବ। କିନ୍ତୁ ସ୍ୱାସ୍ଥ୍ୟ ବିଭାଗର ନୀତିକୁ ବିରୋଧ କରି ୧୫ ହଜାର ସ୍ୱାସ୍ଥ୍ୟକର୍ମୀ ଟିକା ଅଭିଯାନରେ ସାମିଲ ନହେବାକୁ ନିଷ୍ପତ୍ତି ନେଇଛନ୍ତି। ସେପଟେ ଟିକାକରରୁ ଛୋଟ ପିଲା, ଗର୍ଭବତୀ, ଗୁରୁତର ଅସୁସ୍ଥ ଓ ୧୪ ଦିନ ପୂର୍ବରୁ ଅନ୍ୟ ଟିକା ନେଇଥିବା ବ୍ୟକ୍ତି ବାଦ ପଡିବେ। ଜଣେ ବ୍ୟକ୍ତିଙ୍କୁ କୋଭିସିଲ୍ଡ କିମ୍ବା କୋଭାକ୍ସିନର ୨ଟି ଡୋଜ୍ ଦିଆଯିବ।
ସରକାରୀ ଗାଇଡଲାଇନ ଅଇନୁସାରେ ଗୋଟିଏ ସେଣ୍ଟରରେ ୧୦୦ ଜଣଙ୍କର ଟିକାକରଣ ହେବ। ଏଥିପାଇଁ ୫ ଜଣ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜନ କରାଯାଇଛି। ଟିକାକରଣ ପରେ ଲୋକଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଯାଞ୍ଚ ହେବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩ ଲକ୍ଷ ୩୮ ହଜାର ୭୭୭ ଜଣଙ୍କୁ ଟିକା ଦିଆଯିବ। ଆସନ୍ତା ୨୫ ତାରିଖ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ଟିକା ହିତାଧିକାରୀଙ୍କ ତାଲିକା ଘୋଷଣା ହେବେ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି।