ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । କରୋନାର କରାଳ ରୂପକୁ ହରାଇବାକୁ ଯାଉଛନ୍ତି ସାଧାରଣ ଜନତା । ଓଡ଼ିଶାବାସୀଙ୍କୁ ମିଳିବାକୁ ଯାଉଛି କରୋନା ଟିକା । ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଟିକାକରଣ ପ୍ରକ୍ରିୟା ରାଜ୍ୟରେ ଚାଲିବ । ରାଜ୍ୟରେ ମୋଟ ୧୬୨ଟି ଟିକାକରଣ କେନ୍ଦ୍ର ପ୍ରସ୍ତୁତ କରାଯାଇଛି ।
ରାଜ୍ୟରେ ଟିକାଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସମସ୍ତ ଜିଲ୍ଲାରେ ପହଞ୍ଚିସାରିଛି କରୋନା ଟିକା । ଟିକାକରଣ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ କରାଯିବା ସହ ପ୍ରତି ଟିକା କେନ୍ଦ୍ରରେ ୫ ଜଣିଆ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ରହିବେ । ଟିକାକରଣ ପାଇଁ ବିଶ୍ରାମ କକ୍ଷ, ଭ୍ୟାକିସନେସନ କକ୍ଷ, ନିରୀକ୍ଷଣ କକ୍ଷ ପ୍ରସ୍ତୁତ ରଖାଯାଇଛି ।ରାଜ୍ୟରେ କୋଭିସିଲ୍ଡ ଟିକାର ୪ ଲକ୍ଷ ୮ହଜାର ଡୋଜ ରହିଥିବା ବେଳେ, କୋଭାକ୍ସିନ ୨୦ହଜାର ଡୋଜ୍ ଗଚ୍ଛିତ ରହିଛି । ଭୁବନେଶ୍ୱରର ୯ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭାକ୍ସିନ ଟିକା ଦିଆଯିବା ସହ, ଅନ୍ୟ ଜିଲ୍ଲାର ୧ ଲକ୍ଷ ୮୩ ହଜାର ୫୫୫ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିସିଲ୍ଡ ଟିକା ଦିଆଯିବ ।
ବାହୁରେ ଟିକା ଦିଆଯିବା ସହ ଟିକା ନେଇଥିବା ବ୍ୟକ୍ତିଙ୍କୁ ୩୦ ମିନିଟ ଅବଜର୍ଭେସନରେ ରଖାଯିବ । ଏହାସହ ସ୍ବାସ୍ଥ୍ୟକର୍ମୀ ପ୍ରଥମେ ଯେଉଁ ଟିକା ନେଇଥିବେ, ଦ୍ବିତୀୟ ଡୋଜ୍ରେ ସମାନ ଟିକା ନେବାକୁ ହେବ । ଏଥିରେ କୌଣସି ପ୍ରକାର ପରିବର୍ତନ ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।
୧୮ ବର୍ଷରୁ କମ ବୟସ୍କଙ୍କୁ କରୋନା ଟିକା ନେବା ପାଇଁ ମନାକରାଯାଇଛି । ଏହାସହ ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମା’, ଅସୁସ୍ଥ ଲୋକ, ୧୪ ଦିନ ଭିତରେ ଅଲଗା ଟିକା ନେଇଥିବା ରୋଗୀ, କରୋନା ସଂକ୍ରମିତଙ୍କୁ କରୋନା ଟିକା ମନା କରାଯାଇଛି । ରାଜ୍ୟରେ ୩ ଲକ୍ଷ ୩୮ ହଜାର ସ୍ୱାସ୍ଥ୍ୟ କର୍ମୀ ପଞ୍ଜିକୃତ ହୋଇଥିବାବେଳେ ପ୍ରଥମ ଦଫାରେ ୧ ଲକ୍ଷ ୯୨ ହଜାର ଲୋକଙ୍କୁ ଟିକା ଦିଆଯିବ ।