ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଚଳିତ ବର୍ଷର ବଜେଟ ଅଧିବେସନ ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ତେବେ କରୋନା କଟକଣା ଭିତରେ ଏଥରର ବଜେଟ ଅଧିବେଶନ ହେବ । ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ଫେବ୍ରୁୟାରୀ ଆରମ୍ଭରୁ ସାଧାରଣ ବଜେଟ୍ ପାରିତ ହେବ ବୋଲି ସୂଚନା ମିଳିଛି । ଏହି ବଜେଟ୍ ଅଧିବେଶନ ଜାନୁୟାରୀ ୨୯ ତାରିଖରୁ ଆରମ୍ଭ ହୋଇ ଫେବ୍ରୁୟାରୀ ୮ ତାରିଖ ଯାଏ ଚାଲିବ । ଏନେଇ ଲୋକସଭା ସଚିବାଳୟ ପକ୍ଷରୁ ଗୁରୁବାର ଦିନ ସୂଚନା ପ୍ରଦାନ କରାଯାଇଛି । ଏହି ସୂଚନାରେ ବିଭିନ୍ନ ମନ୍ତ୍ରାଳୟର ଖର୍ଚ୍ଚ ଦାବିକୁ ବିଚାର କରିବାସହ ଏହାର ରିପୋର୍ଟ ପ୍ରସ୍ତୁତ କରିବାକୁ କିଛି ସମୟ ଦିଆଯିବ ବୋଲି କୁହାଯାଇଛି । ଫେବ୍ରୁୟାରୀ ୮ରେ ବଜେଟ୍ ଅଧିବେଶନ ଶେଷ ହେଉଥିଲେ ବି ରିପୋର୍ଟ ପ୍ରସ୍ତୁତ ପରେ ଫେବ୍ରୁୟାରୀ ୧୫ ତାରିଖରେ ଗୃହକୁ ମୁଲତବୀ ଘୋଷଣା କରାଯିବ । ଏହା ପରେ ପୁଣି ମାର୍ଚ୍ଚ ୮ ରେ ଆରମ୍ଭ ହେବ ।
ବଜେଟ୍ ଅଧିବେଶନ ପୂର୍ବରୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ପୂର୍ବ ଅଧିବେଶନ ଭଳି ପର୍ଯ୍ୟାୟ ଭିତ୍ତିରେ ଏହା ଅନୁଷ୍ଠିତ ହେବ। ରାଜ୍ୟସଭା ସକାଳେ ବସିବାକୁ ଥିବା ବେଳେ ଲୋକସଭା ସଂଧ୍ୟାରେ ବସିବ । ହେଲେ ପୂର୍ବ ଅଧିବେଶନ ଭଳି ଏଥର ପ୍ରଶ୍ନକାଳକୁ ବାଦ୍ ଦିଆଯିବ କି ନାହିଁ ସେ ନେଇ ଚୂଡାନ୍ତ ନିଷ୍ପତ୍ତି ଶୀଘ୍ର ହେବ ବୋଲି ସୂଚନା ମିଳିଛି ।