ସନ୍ଷ୍ଟାର ଟିଭି ବ୍ୟୁରୋ
ଆମେରିକା: ରକ୍ତରେ ଉଠିଛି ଛତୁ । କଥାଟା ଶୁଣିଲେ ସମ୍ପୂର୍ଣ ମିଛ ଲାଗୁଥିଲେ ମଧ୍ୟ କଥାଟି ସମ୍ପୂର୍ଣ ସତ । ଘଟଣାଟି ଘଟିଛି ଆମେରିକାରରେ । ଆମେରିକାର ନେବ୍ରାସ୍କାରେ ଜଣେ ୩୦ ବର୍ଷୀୟ ଯୁବକ ଛତୁ ରସକୁ ଚା ସହିତ ମିଶାଇ ଇନଞ୍ଜେକ୍ସନ ମାଧ୍ୟମରେ ଶରୀର ମଧ୍ୟକୁ ଦେଇଥିଲେ । ଫଳରେ କିଛି ଦିନ ପରେ ତାଙ୍କ ରକ୍ତରେ ଛତୁ ଦେଖାଯାଇଥିଲା ।
ସୂଚନା ଅନୁସାରେ, ଆମେରିକାର ନେବ୍ରାସ୍କାରେ ରହୁଥିବା ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ତାଙ୍କ ଡାକ୍ତର ସାଇକୋଡେଲିକ ଛତୁ ଖାଇବା ପାଇଁ ପରାମର୍ଶ ଦେଇଥିଲେ । ଏହି ଛତୁରେ ସାଇଲୋସାଇବିନ୍ ନାମକ ଏକ ତତ୍ତ୍ଵ ରହିଛି ଯେଉଁଥିରୁ ମାନସିକ ରୋଗୀଙ୍କୁ ମାନସିକ ଶାନ୍ତି ମିଳିଥାଏ । ତେବେ ଏହି ବ୍ୟକ୍ତି ଜଣଙ୍କ ଛତୁକୁ ଖାଇବା ବଦଳରେ ଏହାକୁ ସିଝାଇ ଏହାର ରସକୁ ଚିପୁଡି ଇଞ୍ଜେକ୍ସନ ମାଧ୍ୟମରେ ଶରୀରରେ ଦେଇଥିଲେ । ଫଳରେ ଦୁଇ ଦିନ ପରେ ସେ ଅସୁସ୍ଥ ହୋଇପଡିଥିଲେ ।ଏହାର କିଛି ସମୟ ପରେ ସେ ରକ୍ତବାନ୍ତି କରିଥିଲେ ।ଏହାପରେ ସେ ହସ୍ପିଟାଲ ଯିବାରୁ ଡାକ୍ତର ତାଙ୍କର ଯାଞ୍ଚ କରିଥିଲେ । ଯାଞ୍ଚ କରିବା ପରେ ଜଣାପଡିଥିଲା ଯେ, ଯୁବକଙ୍କ ଶରୀର ମଧ୍ୟରେ ଛତୁ ଗଛ ଉଠିବା ଆରମ୍ଭ ହୋଇଯାଇଛି । ତାଙ୍କର ଲିଭରରେ ଘା ହୋଇଯାଇଛି । ତାଙ୍କର ବହୁ ଅଙ୍ଗ ପ୍ରତ୍ୟେଙ୍ଗ କାମ କରିବା ବନ୍ଦ କରିଦେଇଥିଲା ।
ତେବେ ଯୁବକଙ୍କ ଯାଞ୍ଚ କରିବା ପରେ ତୁରନ୍ତ ତାଙ୍କର ଶରୀରରୁ ରକ୍ତ ବଦଳାଯାଇଥିଲା । ଅବଶିଷ୍ଟ ରକ୍ତରୁ ଟକ୍ସିନ କାଢିବା ପାଇଁ ପ୍ରୟାସ କରାଗଲା । ଏଥିପାଇଁ ତାଙ୍କୁ ହସ୍ପିଟାଲରେ ୨୨ ଦିନ ରହିବାକୁ ପଡିଥିଲା । ତେବେ ଯୁବକଙ୍କୁ ଏବେ କିଛି ବର୍ଷ ଯାଏଁ ଆଣ୍ଟିବାୟୋଟିକ୍ ମେଡିସିନ୍ ଖାଇବାକୁ ପଡିବ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ ।