ସନ୍ଷ୍ଟାର ଟିଭି ବ୍ୟୁରୋ
ଆଜି ମକର ସଂକ୍ରାନ୍ତି। ସୂର୍ଯ୍ୟଦେବତାଙ୍କ ଉତ୍ତରାୟଣରେ ପୃଥିବୀ ପୃଷ୍ଠରେ ଶାନ୍ତି ଓ ସମୃଦ୍ଧି ବିରାଜମାନ କରେ। ଫସଲ ଅମଳର ବେଳ ଓ ଶୁଭ ବେଳା ଆରମ୍ଭ ହୋଇଥାଏ। ଏହି ଦିନକୁ ସବୁ ରାଜ୍ୟ ଭିନ୍ନ ଢ଼ଙ୍ଗରେ ପାଳନ କରନ୍ତି। ହିମାଳୟରୁ କନ୍ୟାକୁମାରୀ ଯାଏ ମକରରେ ସୂର୍ଯ୍ୟଙ୍କ ଉତ୍ତରାୟଣକୁ ସ୍ୱାଗତ କରନ୍ତି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବି ମକର ଉତ୍ସବ ଧୁମ୍ଧାମରେ ପାଳନ ହୁଏ ।
ଶ୍ରୀ ଜଗନ୍ନାଥ ପରମ୍ପରା ଅନୁସାରେ ମା’ ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପହିଲି ଭୋଗ ଆରମ୍ଭ ହେବା ଦିନରୁ ବାପଘରକୁ ଯାଇଥାଆନ୍ତି। ମକର ସଂକ୍ରାନ୍ତି ଦିନ ବାପଘରୁ ପ୍ରତ୍ୟାବର୍ତ୍ତନ କରନ୍ତି। ସେ ସାଙ୍ଗରେ ଆଣିଥିବା ୮୪ ବ୍ୟଞ୍ଜନ ମହାପ୍ରଭୁଙ୍କ ଠାରେ ଭୋଗ ଲାଗେ ।ଏହି ଦିନ ପିତାମହ ଭୀଷ୍ମ ଇଚ୍ଛା ମୃତ୍ୟୁ ବରଣ କରିଥିଲେ ଓ ମାତା ଗଙ୍ଗା ଧରାପୃଷ୍ଠରେ ଅବତରଣ କରିଥିଲେ । ମକର ଉତ୍ସବ ଅନେକ ପୌରାଣିକ ଘଟଣାର ମୁକ ସାକ୍ଷୀ ।
ରାଜଧାନୀରେ ବି ମକର ସଂକ୍ରାନ୍ତି ଆଡମ୍ବରରେ ପାଳନ ହେବ । ଏହି ଦିନ ଶ୍ରଦ୍ଧାଳୁ ମାନେ ବୁଡ଼ ପକାଇ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦେବେ । ମକର ସଂକ୍ରାନ୍ତି ନୀତିକାନ୍ତି କରାଯିବ ବୋଲି ଆରମ୍ଭ ହେଲାଣି ପ୍ରସ୍ତୁତି । କିନ୍ତୁ ପ୍ରତି ବର୍ଷ ପରି ଏଥର ସେ ଉତ୍ସାହ ଦେଖିବାକୁ ମିଳୁନି । କରୋନା ପାଇଁ ମକର ଉତ୍ସବ ଫିକା ଫିକା ଲାଗୁଛି । ମକର ସଂକ୍ରାନ୍ତିକୁ ଖାଲି ଓଡ଼ିଶା ଲୋକମାନେ ପାଳନ କରନ୍ତି ତାହା ନୁହେଁ । ଦେଶର ପ୍ରାୟ ପଡ଼ୋଶୀ ରାଜ୍ୟର ବହୁ ପରିବାର ନିଜର ସଂସ୍କୃତି ଓ ପରମ୍ପରା ଅନୁସାରେ ପାଳନ କରନ୍ତି ମକର ଉତ୍ସବ । ତେଲୁଗୁ ସମ୍ପ୍ରଦାୟ ମକର ସଂକ୍ରାନ୍ତିରେ ପୋଙ୍ଗଲ ପର୍ବ ପାଳନ କରନ୍ତି।ସୂର୍ଯ୍ୟୋଦୟ ପୂର୍ବରୁ ସମସ୍ତ ପୂଜାପାଠ କରାଯାଏ । ଏହି ଅବସରରେ ପ୍ରତି ଘରେ ଘରେ ମହକି ଉଠେ ମକର ଚାଉଳର ବାସ୍ନା । ଅରୁଆ ଚାଉଳ, ଗୁଡ଼,ଗୁଆଘିଅ, ବିଭିନ୍ନ ଫଳ, ନଡ଼ିଆ,ଛେନା ଆଦି ପଡ଼ି ପ୍ରସ୍ତୁତ ହେଇଥାଏ ମକର ଚାଉଳ । ଏହାକୁ ପ୍ରଭୁଙ୍କ ପାଖରେ ଲଗାଇ ଘରର ସମସ୍ତ ପରିବାର ଖାଇଥାନ୍ତି ।
ଏହି ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ଵିଟ୍ କରି ସାରା ରାଜ୍ୟବାସୀଙ୍କୁ ଶୁଭେଚ୍ଥା ଜଣେଇଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାରା ଦେଶବାସୀଙ୍କୁ ଟ୍ଵିଟ୍ କରି ଅଭିନନ୍ଦନ ଜଣାଇଛନ୍ତି ।
ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। କୋଭିଡ ନିୟମକୁ ଦୃଷ୍ଟିରେ ରଖି ମକର ଉତ୍ସବ ପାଳନ କରନ୍ତୁ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରୁଛି। pic.twitter.com/VlzUQ0si56
— Naveen Patnaik (@Naveen_Odisha) January 14, 2021
मकर संक्रांति की शुभकामनाएँ। देश भर में उत्साह और उमंग से मनाए जा रहे उत्तरायण, पोंगल, माघ बिहु, भोगी, कनुमा एवं अन्य सभी त्योहारों की भी शुभेच्छाएं।
May the fresh and bountiful harvest of the season usher in happiness, prosperity, health and abundance for all. pic.twitter.com/yknnlgA3SF
— Dharmendra Pradhan (@dpradhanbjp) January 14, 2021