ସନ୍ଷ୍ଟାର ଟିଭି ବ୍ୟୁରୋ
କଳାହାଣ୍ଡି : ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କଳାହାଣ୍ଡିକୁ ପ୍ରଗତି ପଥରେ ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚିଛନ୍ତି କଳାହାଣ୍ଡିରେ । କରୋନା ପରେ ପ୍ରଥମ ଥର ପାଇଁ ସାଧାରଣ ସଭାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମଙ୍ଗଳପୁରରେ ବହୁମୁଖୀ ଇନ୍ଦ୍ରାବତୀ ପ୍ରକଳ୍ପର ଲୋକାର୍ପଣ କରି କଳାହାଣ୍ଡିବାସୀଙ୍କୁ ବୃହତ୍ ଉଠାଜଳସେଚନ ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ୧୦୬୪ଟି କୋଟି ଟଙ୍କାର ୫୪ଟି ପ୍ରକଳ୍ପର ଲୋକାର୍ପଣ ଓ ୧୦୨୦ କୋଟି ଟଙ୍କାର ୫୨ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ନବୀନ ପଟ୍ଟନାୟକ ।
ଏହି ଉଦ୍ଘାଟନୀ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କଳାହାଣ୍ଡିକୁ ସାରା ଦେଶ ପାଇଁ ବିକାଶର ମଡେଲ ସାଜି ନୂଆ ଓଡ଼ିଶା ପାଇଁ ବାଟ ଦେଖାଉଥିବା କହିଛନ୍ତି ଏବଂ ଏହାର ଶ୍ରେୟ ସେ କଳାହାଣ୍ଡିର ଚାଷୀ ଓ ଜନସାଧାରଣଙ୍କ ଦୃଢ଼ ଆତ୍ମବିଶ୍ୱାସ, ପ୍ରତିବଦ୍ଧତା ଓ ପରିଶ୍ରମକୁ ଦେଇଛନ୍ତି ।ସେ ଆଉ ମଧ୍ୟ କହିଛନ୍ତି ଯେ ଇନ୍ଦ୍ରାବତୀ ନଦୀର ପ୍ରତିଟି ଜଳବିନ୍ଦୁ କଳାହାଣ୍ଡିକୁ ସମୃଦ୍ଧ କରିଛି । ଏହାକୁ ସମ୍ମାନ ଜଣାଇ ସେଠାରେ ସଂଗ୍ରହାଳୟ ଓ ଉଦ୍ୟାନ ନିର୍ମାଣ କରାଯିବ । ମା’ଇନ୍ଦ୍ରାବତୀଙ୍କ ଭବ୍ୟ ମନ୍ଦିରରୁ ସଂକଳ୍ପ ନେଇ ଚାଷୀମାନେ ନଦୀର ପ୍ରତିଟି ଜଳବିନ୍ଦୁକୁ କଳାହାଣ୍ଡିର ବିକାଶରେ ବିନିଯୋଗ କରିବେ ।