ସନ୍ଷ୍ଟାର ଟିଭି ବ୍ୟୁରୋ
ସମ୍ବଲପୁର: ବିଶ୍ଵର ଦୀର୍ଘତମ ମାଟି ନଦୀବନ୍ଧ ହୀରାକୁଦ ବନ୍ଧକୁ ଆଜି ୬୪ ବର୍ଷ ପୂରିଲା । ଓଡ଼ିଶା ପ୍ରଗତିର ପ୍ରତୀକ ସାଜିଥିବା ତଥା ସାରା ଦେଶକୁ ବିଦ୍ୟୁତ୍ ଯୋଗାଉଥିବା ଏହି ବନ୍ଧ ନିର୍ମାଣ ପାଇଁ ୭୩ ବର୍ଷ ତଳେ ଯେଉଁ ପ୍ରଜାମାନେ ନିଜ ଭିଟାମାଟିକୁ ଜଳାଞ୍ଜଳି ଦେଇଥିଲେ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳିଲା ନାହିଁ ।
୭୩ ବର୍ଷ ତଳେ ସେମାନଙ୍କୁ ନିଜ ଭଟାମାଟିରୁ ରାତି ଅଧିଆ ଜମିରୁ ବେଦଖଲ କରି ସରକାର ଯେଉଁ ପ୍ରତିଶୃତି ନେଇଥିଲେ, ସେହି ପ୍ରତିଶୃତିକୁ ସେ ଆଜି ଯାଏ ପୂରଣ କରି ପାରିଲେ ନାହିଁ । ତେଣୁ ପ୍ରଜାମାନଙ୍କ ଦୁଃଖ ଆଜି ପର୍ଯ୍ୟନ୍ତ ମଧ୍ୟ ଶୁଣିନାହାଁନ୍ତି ସରକାର । ସେମାନେ ଆଜିବି ଅନେଇ ବସିଛନ୍ତି ସେମାନଙ୍କ ନ୍ୟାୟକୁ । ଏହି ପ୍ରଜାମାମାନଙ୍କ ମଧ୍ୟରୁ ଆଜି ପର୍ଯ୍ୟନ୍ତ ଅନେକେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ନିଜ ଅଣ୍ଟା ସଳଖି ଠିଆ ହୋଇ ପାରିନାହାନ୍ତି। ବାସଚ୍ୟୁତ ହୋଇଥିବା ଲୋକେ ମରି ହଜି ସେମାନଙ୍କ ତୃତୀୟ ପିଢ଼ି ଆସିଲେଣି। କିନ୍ତୁ ସେମାନଙ୍କର ଏପର୍ଯ୍ୟନ୍ତ କୌଣସି ଅସ୍ତିତ୍ୱ ନାହିଁ। ସରକାରଙ୍କ ଦୃଷ୍ଟିରେ ସେମାନେ ଆଜି ପର୍ଯ୍ୟନ୍ତ ‘ନାଗରିକ’ର ମାନ୍ୟତା ପାଇନାହାନ୍ତି। ତେଣୁ ପିଢ଼ି ପରେ ପିଢ଼ି ସବୁ ପ୍ରକାର ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଆସୁଛନ୍ତି।
ହୀରାକୁଦ ପାଣିରେ ଏ ଅଞ୍ଚଳର ୧.୫ ଲକ୍ଷ ଉର୍ବର ଜମି ବୁଡ଼ିଗଲା। ୭୫୦ ବର୍ଗ କିଲୋମିଟର ବ୍ୟାପୀ ଜଳଭଣ୍ଡାରରେ ୩୬୯ ଗାଁ ବୁଡ଼ିଯିବାରୁ ୨୬ ହଜାର ୫୦୧ ପରିବାର ପ୍ରଭାବିତ ହେଲେ। ସେମାନଙ୍କ ମଧ୍ୟରୁ ୧୯ ହଜାରରୁ ଅଧିକ ପରିବାରଙ୍କୁ ନିଜ ଜନ୍ମମାଟି ଛାଡ଼ିବାକୁ ପଡ଼ିଥିଲା । ଏମାନଙ୍କ ମଧ୍ୟରୁ କେବଳ ୨୨୪୩ ପରିବାରଙ୍କୁ ୧୭ଟି କ୍ୟାମ୍ପରେ ଥଇଥାନ କରାଗଲା। ଅନ୍ୟ ସବୁ ପରିବାର ଜୀବନଜୀବିକା ଅନ୍ୱେଷଣରେ ଦୂର ହୋଇଗଲେ । ୧୯ ହଜାର ବାସଚ୍ୟୁତ ପରିବାରଙ୍କ ମଧ୍ୟରୁ ମାତ୍ର ୬ ହଜାର ପରିବାରଙ୍କୁ ଡିସି ପଟ୍ଟା ମିଳିଛି। ବଞ୍ଚିତ ଥିବା ଅନ୍ୟ ୧୩ ହଜାର ପରିବାର ଆଜି ପର୍ଯ୍ୟନ୍ତ ଡିସି ପଟ୍ଟାକୁ ଚାହିଁ ବସିଛନ୍ତି। ତେବେ ସେମାନଙ୍କୁ କେବେ ସ୍ଥାୟୀ ଭାବରେ ଥଇଥାନ କରାଯିବ ତାହା ବର୍ତ୍ତମାନ ଏଠାରେ ସବୁଠୁ ବଡ଼ ପ୍ରଶ୍ନ ?