ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଓଡ଼ିଶାରେ ହେଉଥିବା ଉନ୍ନତି ଯୋଗୁଁ ଏବେ ସାରା ଦେଶରେ ପ୍ରାୟ ସବୁ କ୍ଷେତ୍ରରେ ଓଡ଼ିଶା ଏବେ ଆଗରେ ରହିଛି । ଭାରତର ବଛା ବଛା ରାଜ୍ୟମାନଙ୍କୁ ପଛରେ ପକାଇ ଓଡ଼ିଶା ପୁଣି ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି । ରାଜ୍ୟରେ ଜାଗା ମିଶନ କାର୍ଯ୍ୟକାରୀ କରିବା ଓ ପାଇପ୍ ଯୋଗେ ଜଳଯୋଗାଣରେ ସଫଳତା ହାସଲ କରି ଓଡ଼ିଶା ପ୍ରଥମ ସ୍ଥାନ ଗ୍ରହଣ କରିଛି । ଜନାଗ୍ରହ ସିଟି ଗଭର୍ଣ୍ଣାସ୍ ଆୱାର୍ଡର ଦ୍ୱିତୀୟ ସଂସ୍କରଣରେ ରାଜ୍ୟ ଏହି ପୁରସ୍କାର ପାଇଛି ।
ଭର୍ଚୁଆଲ୍ ମାଧ୍ୟମରେ ଆୟୋଜିତ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ କେନ୍ଦ୍ର ସହରାଞ୍ଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ରାଜ୍ୟକୁ ଏହି ପୁରସ୍କାର ଦେଇଛନ୍ତି । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ଜି ମାଥିଭାଥନାନ୍ ପୁରସ୍କାର ଗ୍ରହଣ କରିଛନ୍ତି ।
ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ପୌର ସଂସ୍ଥା, ଶ୍ରେଷ୍ଠ ସିଭିକ୍ ଏଜେନ୍ସି, ଶ୍ରେଷ୍ଠ ରାଜ୍ୟ ନିର୍ବାଚନ କମିଶନ ଓ ଶ୍ରେଷ୍ଠ ରାଜ୍ୟ ଅର୍ଥ କମିଶନର ଭଳି ୫ଟି ବର୍ଗରେ ୧୭ଟି ରାଜ୍ୟ ଏହି ପୁରସ୍କାର ପାଇଁ ଆବେଦନ କରିଥିଲେ । ମୋଟ ୫୪ଟି ଆବେଦନ ଆସିଥିଲା । ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଦେବା ଭଳି ଐତିହାସିକ ନିଷ୍ପତ୍ତି ନେଇଥିବାରୁ ଜାଗା ମିଶନ ସାରା ଦେଶ ପାଇଁ ମାଇଲଖୁଣ୍ଟ ପାଲଟିଥିଲା । ଏହି ନିଆରା ପଦକ୍ଷେପ ପାଇଁ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ପୁରସ୍କାର ମିଳିଛି । ଜାଗା ମିଶନ ପାଇଁ ହୋଇଥିବା ଆଇନର ନୀତି ପ୍ରଣୟନ କରିବା ସହ ଏହାର ସଫଳ କାର୍ଯ୍ୟକାରୀ କରିଥିବାରୁ ଏହି ପୁରସ୍କାର ଦିଆଯାଇଛି ।
ସେହିଭଳି ରାଜ୍ୟରେ ପାଇପ୍ ଯୋଗେ ଜଳଯୋଗାଣ କ୍ଷେତ୍ରରେ ସଫଳତା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ବେଷ୍ଟ୍ ସିଭିକ୍ ଏଜେନ୍ସି ଆୱାର୍ଡ ଦିଆଯାଇଛି । ସହରାଞ୍ଚଳ ସମସ୍ତଙ୍କ ପାଖରେ ବିଶୁଦ୍ଧ ଜଳ ଯୋଗାଇବାର ପ୍ରତିବଦ୍ଧତା, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଯୋଜନାକୁ ସଫଳ କରିଥିବାରୁ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ସଂସ୍ଥା (ପିଏଚ୍ଇଓ)କୁ ଏହି ପୁରସ୍କାର ଦିଆଯାଇଛି ।
Congratulations to @HUDDeptOdisha as #Odisha received Best State award for #JAGAMission & Public Health Engineering Organisation (PHEO) for Best Civic Agency Award for Piped Water Supply Scheme for all Urban Households in #JanaagrahaCityGovernanceAwards2020. #OdishaLeads pic.twitter.com/7Ezo0Q6lCz
— CMO Odisha (@CMO_Odisha) January 12, 2021