ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: କୋଭିସିଲ୍ଡ ପରେ ଓଡିଶାରେ ପହଞ୍ଚିଛି କରୋନା ଟିକା କୋଭାକ୍ସିନ ।ଭୁବନେଶ୍ଵର ବିମାନ ବନ୍ଦରରେ ସକାଳ ୮. ୧୫ରେ ପହଞ୍ଚିଛି କୋଭାକ୍ସିନ । ଭାରତ ବାୟୋଟେକ ଦ୍ଵାରା ପ୍ରସ୍ତୁତ ହୋଇଛି ଏହି ଟିକା ।ପ୍ରଥମ ପର୍ଯ୍ୟାୟରେ ୨୦ ହଜାର ଡୋଜ ଆସିଥିବା ସୂଚନା ମିଳିଛି ।ଟିକାକୁ ବିମାନବନ୍ଦରରୁ ଅଣାଯାଇ ଏବେ ରାଜ୍ୟ ଭ୍ୟାକ୍ସିନ୍ ଷ୍ଟୋର ବା ଟିକା ଭଣ୍ଡାରରେ ରଖାଯାଇଛି । ଏଠାରୁ ରାଜ୍ୟର ବିଭିନ୍ନ ଟୀକାକରଣ କେନ୍ଦ୍ରକୁ ଟିକା ପଠାଯିବ ।
ଆସନ୍ତା ୧୬ ତାରିଖରେ ଓଡ଼ିଶା ସମେତ ଦେଶବ୍ୟାପୀ କରୋନା ଟିକାକରଣ ହେବ ବୋଲି ପୂର୍ବରୁ ଘୋଷଣା କରାଯାଇଥିବା ବେଳେ ଓଡିଶାରେ ଦୁଇଟି କୋଭିଡ ୧୯ ଭ୍ୟାକସିନ ପହଞ୍ଚିସାରିଛି । ଗତକାଲି ସେରମ୍ ଇନଷ୍ଟିଚ୍ୟୁଟ୍ରୁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଦ୍ବାରା ପ୍ରସ୍ତୁତ ‘କୋଭିସିଲ୍ଡ’ ଟିକାର ୪୦ହଜାର ୮ଶହ ଭାଏଲ ଅର୍ଥାତ୍ ୪ଲକ୍ଷ ୮ହଜାର ଡୋଜ୍ ଓଡ଼ିଶା ଆସିଥିଲା ।
ସୂଚନା ମୁତାବକ, ‘କୋଭିସିଲ୍ଡ’ର ଗୋଟିଏ ଭାଏଲରେ ୧୦ଟି ଡୋଜ୍ ଥିବା ବେଳେ ‘କୋଭାକ୍ସିନ୍’ର ଗୋଟିଏ ଭାଏଲ୍ରେ ୨୦ଟି ଡୋଜ୍ ରହିଛି । ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ଆସିଥିବା ଟିକାର ୫୦ ପ୍ରତିଶତ ଜିଲ୍ଲାକୁ ପଠାଇ ଦିଆଯିବ । ଏହାସହ ଦ୍ବିତୀୟ ଡୋଜ୍ ପାଇଁ ଆବଶ୍ୟକ ୫୦ ପ୍ରତିଶତ ଟିକାକୁ ଠିକ୍ ସମୟରେ ଜିଲ୍ଲାକୁ ଯୋଗାଣ କରାଯିବ ।
ହିତାଧିକାରୀ ଜଣକ ଯେଉଁ କମ୍ପାନିର ପ୍ରଥମେ ଟିକା ନେଇଥିବେ ଦ୍ବିତୀୟ ଡୋଜ୍ ମଧ୍ୟ ସେହି କମ୍ପାନିର ନେବାକୁ ହେବ । ଟିକାରେ କୌଣସି ପ୍ରକାର ପରିବର୍ତ୍ତନ କରାଯିବ ନାହିଁ । ତେବେ ପ୍ରଥମ ପର୍ଯ୍ୟାୟରେ ‘କୋଭାକ୍ସିନ୍’ର ଯେତିକି ଡୋଜ୍ ଆସିଛି ଏହାକୁ କେବଳ ଭୁବନେଶ୍ବର ପୌର ଅଞ୍ଚଳରେ ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତି ଜିଲ୍ଲାରେ ଯେତିକି ସଂଖ୍ୟକ ସ୍ବାସ୍ଥ୍ୟକର୍ମୀ ପଞ୍ଜୀକୃତ ହୋଇଛନ୍ତି ତାହାକୁ ନଜରରେ ରଖି ସେହି ଜିଲ୍ଲାକୁ ଟିକା ପ୍ରଦାନ କରାଯିବ ।