ସନ୍ଷ୍ଟାର ଟିଭି ବ୍ୟୁରୋ
ରାଜଧାନୀର ବିଭିନ୍ନ ବସ୍ତି, ରେଳଷ୍ଟେସନ, ବସଷ୍ଟାଣ୍ଡ, ମନ୍ଦିର ପାଖାପାଖି ଅଞ୍ଚଳ, ବଜାରରେ ଭୋକିଲା ରହୁଥିବା ଲୋକଙ୍କୁ ଏଣିକି ମାଗଣାରେ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ଜାନୁୟାରୀ ୮ରେ ଏକ ଟ୍ରଷ୍ଟ ଅନ୍ନପୂର୍ଣ୍ଣାକୁ ଲୋକାର୍ପିତ କରିଥିଲେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ। ହେଲେ ଏବେ ଅନ୍ନପୂର୍ଣ୍ଣା ଯୋଜନା ଅଧିନରେ ମାଗଣାରେ ନୁହେଁ ବରଂ ଖାଦ୍ୟ ଖାଇବା ପାଇଁ ୧ଟଙ୍କା ଦେବାକୁ ହେବ। ଏ ନେଇ ଆଜି ଘୋଷଣା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଏମସିର ବିଜ୍ଞପ୍ତି ପରେ ଅପରାଜିତା ଷଡଙ୍ଗୀ ଏଭଳି ସୂଚନା ଦେଇଛନ୍ତି।
ବିଏମସିର ନୂଆ ବିଜ୍ଞପ୍ତି ଅନୁଯାୟୀ, ରାସ୍ତାକଡ ଲୋକଙ୍କୁ ଖାଦ୍ୟ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ନ ବାଣ୍ଟି ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ପରିଚାଳିତ ହେଉଥିବା ଆଶ୍ରୟସ୍ଥଳରେ ବାଣ୍ଟନ୍ତୁ । ବିଏମସିର ଅନୁମତି ନେଇ ସଂସ୍ଥା କିମ୍ବା ବ୍ୟକ୍ତି ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟି ପାରିବେ ବୋଲି କୁହାଯାଇଛି । ଏପରି ନକଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାଇ ଦିଆଯାଇଛି ।
ସୂଚନା ଥାଉକି, ଭୁବନେଶ୍ୱରକୁ ଭିକାରୀମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ କରିଛି ବିଏମସି । ହେଲେ ରାସ୍ତାକଡ ବାସହରାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବାହାରେ ହିଁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରାଯାଉଥିବାରୁ ସେମାନେ ବିଏମସି ପରିଚାଳିତ ଆଶ୍ରୟସ୍ଥଳକୁ ଯାଉନଥିବା ଦେଖିବାକୁ ମିଳୁଛି । ତେଣୁ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ଏଭଳି ପଦକ୍ଷେପ ନେଇଛି ବିଏମସି । ଏଥିପାଇଁ ବିଏମସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହି ବିଜ୍ଞପ୍ତି ପ୍ରକାଶ ପରେ ଅନ୍ନପୂର୍ଣ୍ଣା ଯୋଜନାରେ ଲୋକଙ୍କୁ ୧ଟଙ୍କାରେ ଖାଦ୍ୟ ଯୋଗାଇଦିଆଯିବ ବୋଲି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି।