ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜି ଓଡ଼ିଶାକୁ ଆସିବ କୋଭିଡ-୧୯ ଭ୍ୟାକ୍ସିନ କୋଭିସିଲ୍ଡ । ଅପରାହ୍ନ ୪ଟା ୨୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ କୋଭିସିଲ୍ଡ । ପୁଣେରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ସ୍ପାଇସ ଜେଟ୍ ବିମାନରେ ଆସିବ । ରାଜ୍ୟକୁ ଆସୁଛି ୪୦ ହଜାର ୮୦୦ ଡୋଜ ।ତେବେ ଏନେଇ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଆସନ୍ତା ୧୬ ତାରିଖରୁ ସାରାଦେଶରେ ଆରମ୍ଭ ହେଉଛି କୋଭିଡ ଟିକାକରଣ । ଏଥିପାଇଁ ମହାରାଷ୍ଟ୍ରସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ଟିକା ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ସିରମ ଇନଷ୍ଟିଚ୍ୟୁଟ୍ ଏବଂ ସହଯୋଗୀ ସଂସ୍ଥା କୁଲ୍ ଏକ୍ସ କୋଲଡ୍ ଚେନ୍ ଲିମିଟେଡ୍ ଟିକା ପରିବହନ ଦାୟିତ୍ୱ ନେଇଛନ୍ତି । ଫ୍ରିଜର ଥିବା ଅତ୍ୟାଧୁନିକ ଟ୍ରକ୍ରେ କୋଭିଡ ଟିକାକୁ ବିମାନବନ୍ଦର ନିଆଯାଇଛି ସେଠାରୁ ଦେଶର ବିଭିନ୍ନ ସ୍ଥାନକୁ ଟିକା ପଠାଯାଉଛି। କୋଭିସିଲଡ ଟିକା ପାଇଁ ପୁନେର ସିରମ ଇନଷ୍ଟିଚ୍ୟୁଟ୍କୁ ୧ କୋଟି ୧୦ ଲକ୍ଷ ଡୋଜ୍ ଅର୍ଡର ମିଳିବା ପରେ ଟିକା ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି ।
ଟିକା ପରିବହନ ପାଇଁ ୧୪ ଟି ବିମାନ ପ୍ରସ୍ତୁତ ରହିଛି। ପ୍ରଥମ ବିମାନ ଭାବେ ସ୍ପାଇସ ଜେଟ୍ରେ ୪୫୬ଟି ବକ୍ସରେ ମୋଟ ୧୪ହଜାର ୫୯୨ ଟନ୍ ଓଜନର ଟିକା ପଠାଯାଇଛି। ଏଥିସହ ଅନ୍ୟ ବିମାନରେ ଚେନ୍ନାଇ, ଚଣ୍ଡୀଗଡ, କୋଲକାତା, ଗୁଜରାଟ, ହାଇଦ୍ରାବାଦ, ବିଜୟୱାଡା, ଭୁବନେଶ୍ୱର, ଗୌହାଟୀ, ବେଙ୍ଗଳୁରୁ, ପାଟନା ଏବଂ ଲକ୍ଷ୍ନୋକୁ ଟିକା ପଠାଯାଇଛି। ଦେଶରେ ଦୁଇଟି କୋଭିଡ୍ ଟିକା କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି।
ଜିଏସଟିକୁ ମିଶାଇ ଟିକାର ପ୍ରତ୍ୟକ ଡୋଜ୍ ପିଛା ସରକାର ୨୧୦ ଟଙ୍କା ଦେବେ ବୋଲି ସେରମ ପକ୍ଷରୁ ସୂଚନା ଦିଆଯାଇଛି। ଦେଶର ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାଙ୍କୁ ମାଗଣା କୋଭିଡ୍ ଟିକା ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିସାରିଛନ୍ତି।