ସନ୍ଷ୍ଟାର ଟିଭି ବ୍ୟୁରୋ
କାଲିଫର୍ଣ୍ଣିଆ: ପ୍ରଥମ ଥର ପାଇଁ ୨ ଗରିଲା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆମେରିକାର କାଲିଫର୍ଣ୍ଣିଆରେ ଥିବା ସାନ ଡିଏଗୋ ପ୍ରାଣୀ ଉଦ୍ୟାନରେ ଏହି ୨ଟି ଗରିଲା ରହୁଥିଲେ । ପୂର୍ବରୁ ବିଶ୍ଵରେ କୌଣସିଠାରେ ମଧ୍ୟ ଗରିଲାଙ୍କୁ କରୋନା ହୋଇନଥିଲା ।
ଗତ ସପ୍ତାହରେ ଏହି ଦୁଇ ଗରିଲା କାଶିବା ଆରମ୍ଭ କରିବାରୁ ସେମାନଙ୍କୁ ପରୀକ୍ଷା କରାଯାଇଥିଲା। ପରୀକ୍ଷା କରାଯିବା ପରେ ସେମାନେ କରୋନା ସଂକ୍ରମିତ ବୋଲି ଜଣାପଡିଥିଲା । ଏହି ଦୁଇ ଗରିଲାଙ୍କ ବ୍ୟତୀତ ଉଦ୍ୟାନରେ ଥିବା ଆଉ ଏକ ଗରିଲା ଶରୀରରେ ମଧ୍ୟ କରୋନା ଭୁତାଣୁ ଥିବା ସୂଚନା ମିଳିଛି।
ପ୍ରାଣୀ ଉଦ୍ୟାନର କର୍ମଚାରୀଙ୍କଠାରୁ ଏହି ଭୁତାଣୁ ପାଇଥିବା ସନ୍ଦେହ କରାଯାଉଛି। ତେବେ, ଏ ନେଇ ଏଯାଏ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ବିଶ୍ବ ପ୍ରସିଦ୍ଧ ପ୍ରାଣୀ ଉଦ୍ୟାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଲିସା ପିଟରସନ ଏକ ବିବୃତ୍ତିରେ କହିଛନ୍ତି ଯେ ଚିକିତ୍ସାଧୀନ ଗରିଲାଙ୍କ ଶରୀରରେ ଅଳ୍ପ କିଛି ସମସ୍ୟା ରହିଛି। ସେମାନେ ଅପେକ୍ଷାକୃତ ସୁସ୍ଥ ହେଉଛନ୍ତି। ସୂଚନା ଅନୁସାରେ ଏହି ୨ ଗରିଲା ଖାଇବା ଓ ପିଇବା ସବୁ ଠିକ୍ ଠାକ୍ କରୁଛନ୍ତି। ସେମାନେ ଖୁବ୍ ଶୀଘ୍ର ସୁସ୍ଥ ହେବେ ବୋଲି ଆଶା କରାଯାଉଛି।