ସନ୍ଷ୍ଟାର ଟିଭି ବ୍ୟୁରୋ
ଵାସିଂଟନ: ଆମେରିକାରେ ବାରବାର ଟ୍ରମ୍ପ୍ଙ୍କ କାରନାମା ଚାଲିଥିବାବେଳେ ଗତ ବୁଧବାର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସମର୍ଥକମାନେ ଆମେରିକା ସଂସଦ ଭବନରେ ଭିଆଇଥିବା ଦଙ୍ଗାକୁ ନେଇ ସୋମବାର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ରେ ଡେମୋକ୍ରାଟ୍ ଦଳ ପକ୍ଷରୁ ଟ୍ରମ୍ପ୍ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବ ବୋଲି ଡେମୋକ୍ରାଟ୍ ସାଂସଦ ଟେଡ୍ ଲିଉ ଜଣାଇଛନ୍ତି। ସୂଚନାଯୋଗ୍ୟ, ୨୦୧୯ ମସିହାରେ ମଧ୍ୟ ଟ୍ରମ୍ପ୍ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥିଲା, ମାତ୍ର ତାହା ଆମେରିକାର ସିନେଟ୍ରେ କାଟ ଖାଇଯାଇଥିଲା । ତେବେ ଏଥର ଟ୍ରମ୍ପଙ୍କ ବିରୋଧରେ ଏହି ମହାଭିଯୋଗ ପ୍ରସ୍ତାବ ଆଣିବା ଲାଗି ୧୮୦ ଜଣ ସଦସ୍ୟ ପ୍ରସ୍ତୁତ ରହିଥିବା ଲିଉ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଯଦି ରାଷ୍ଟ୍ରପତି ଟ୍ରମ୍ପ୍ ସ୍ଵତଃପ୍ରବୃତ୍ତ ଭାବେ ଇସ୍ତଫା ନ ଦିଅନ୍ତି ତେବେ ଏହି ମହାଭିଯୋଗ ପ୍ରସ୍ତାବ ଆସିବ ବୋଲି ଜଣାପଡ଼ିଛି ।
ବାଚସ୍ପତି ନାନ୍ସି ପେଲୋସି ମଧ୍ୟ ଟ୍ରମ୍ପ୍ଙ୍କୁ ତତ୍କାଳ ହଟାଇବାକୁ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ କରାଯିବା ଉପରେ ଗୁରୁତ୍ଵାରୋପ କରିଛନ୍ତି। ଆଗାମୀ ୨୦ ତାରିଖରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଶପଥ ଗ୍ରହଣ ପୂର୍ବରୁ ଟ୍ରମ୍ପ୍ଙ୍କୁ କ୍ଷମତାରୁ ହଟାଇବା ପାଇଁ ସଂଖ୍ୟାଧିକ ଆମେରିକୀୟ ଚାହୁଥିବାରୁ ଆମେ ସେମାନଙ୍କୁ ସମ୍ମାନ ଦେଇ ପଦକ୍ଷେପ ଗ୍ରହଣ କରିବୁ ବୋଲି ପେଲୋସି କହିଛନ୍ତି।