ସନ୍ଷ୍ଟାର ଟିଭି ବ୍ୟୁରୋ
ସୁନ୍ଦରଗଡ: ଆଧୁନିକ ଯୁଗରେ ପିଲାମାନଙ୍କର ସେଲ୍ପି ନେବା ଏକ ନିଶା ହୋଇଗଲାଣି । ଖାଇବା, ପିଇବା, ବୁଲିବାକୁ ଯିବା ସବୁ ସମୟରେ ଆମେ ସେଲ୍ପି ନେବାକୁ ଭୁଲି ନଥାଉ । ସେଲ୍ଫି ନେବା ପାଇଁ ପିଲାମାନେ ବିପଦପୂର୍ଣ୍ଣ ସ୍ଥାନ ମଧ୍ୟ ଦେଖନ୍ତି ନାହିଁ ଯାହାର ଫଳ ସ୍ଵରୂପ ଅନେକ ସମୟରେ ଜୀବନ ମଧ୍ୟ ଚାଲିଯାଇଥାଏ ।
ଗତ ୩ ତାରିଖରେ ଘଟିଥିଲା ଏପରି ଏକ ଦୁଃଖଦ ଘଟଣା । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଇବ୍ ନଦୀ ମୁହାଣରେ ନଈ ସୁଅ ମୁହଁରେ ଛିଡ଼ା ହୋଇ ସେଲ୍ଫି ନେବା ସମୟରେ ସାମାନ୍ୟ ଅସାବଧାନତା ଯୋଗୁଁ ଇବ୍ ନଦୀରେ ଜଣେ ଯୁବତୀ ଭାସି ଯାଇଛନ୍ତି । ପରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। । ମୃତ ଯୁବତୀ ରାଜଗାଙ୍ଗପୁର କୁମ୍ଭାରପଡ଼ାର ୨୩ ବର୍ଷୀୟା ନିରୁପମା ପ୍ରଜାପତି ବୋଲି ଜଣାପଡ଼ିଥିଲା । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ଦେଖିଲେ ଆପଣଙ୍କର ଲୋମ ଟାଙ୍କୁରି ଉଠିବ ।
ସୂଚନା ଅନୁସାରେ, ନିରୁପମା ନିଜ ସାଙ୍ଗ ତଥା ପରିବାର ସଦସ୍ୟଙ୍କ ସହ ବାଲିଶଙ୍କରା ବ୍ଲକ ଇବ୍ ନଦୀର ଦର୍ଶନୀୟ ସ୍ଥାନ କନାକୁଣ୍ଡକୁ ବୁଲି ଯାଇଥିଲେ। ଅନ୍ୟମାନେ ରୋଷେଇ ତଥା ବୁଲିବାରେ ବ୍ୟସ୍ତ ଥିବା ବେଳେ ନିରୁପମା ଇବ୍ ନଈ ସୁଅ ମୁହଁରେ ପଥର ଉପରେ ଛିଡ଼ା ହୋଇ ସେଲ୍ଫି ନେଉଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଉକ୍ତ ବାଟ ଦେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଖସି ପଡ଼ିଥିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କ ହାତ ବାଜିଯିବାରୁ ଭାରସାମ୍ୟ ହରାଇ ନିରୁପମା ସୁଅ ମୁହଁରେ ପଡ଼ି ଯାଇଥିଲେ ଓ ନଦୀରେ ଭାସି ଯାଇଥିଲେ ।ଦୀର୍ଘ ୨୨ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ପଥର ସନ୍ଧିରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା ।