ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ପୁରୀ ହାଜତ ମୃତ୍ୟୁ ମାମଲାରେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଖଣ୍ଡପିଠ ନିକଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ତେବେ ସତ୍ୟପାଠରେ ହାଜତରେ ମୃତ୍ୟୁ ନ ହୋଇଥିବା ବୋଲି ଉଲ୍ଲେଖ ରହିଛି । ହାଜତ ମୃତ୍ୟୁ ମାମଲାର ଷ୍ଟାଟସ୍ ରିପୋର୍ଟ ଓ ପୋଷ୍ଟମର୍ଟମ ରିପୋର୍ଟକୁ ଦାଖଲ କରିବାକୁ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁୟାରୀ ୨୨ ରେ କରାଯିବ ବୋଲି କୁହାଯାଇଛି ।
ସୂଚନାଯୋଗ୍ୟ; ଗତ ଡିସେମ୍ବର ୨୨ ଓ ଡିସେମ୍ବର ୧୪ରେ ମଧ୍ୟ ଏହି ମାମଲାର ଶୁଣାଣି କରାଯାଇଥିଲା ।
ଏନଏଚଆରସି ଗାଇଡ଼ଲାଇନ ଅନୁଯାୟୀ, ତଦନ୍ତ ଜାରି ରହିଥିବା ହାଇକୋର୍ଟଙ୍କୁ ଅବଗତ କରାଇଥିଲେ ପୁରୀ ଏସପି । ଉଭୟ ରାଜ୍ୟ ମାନବାଧିକାର କମିଶନ ଓ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟିକୁ ଘଟଣା ଆସିଛି। ଏନଏଚଆରସିରେ ଏନେଇ ମାମଲା ରୁଜୁ ହୋଇଥିବାବେଳେ ଘଟଣାସ୍ଥଳ ପରିଦର୍ଶନ କରି ଏସମ୍ପର୍କରେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଏନଏଚଆରସି ନିଯୁକ୍ତ ଇଷ୍ଟଜୋନ ସ୍ବତନ୍ତ୍ର ଅଧିକାରୀ ଅବସରପ୍ରାପ୍ତ ଆଇଏଏସ ଅଫିସର ବିନୋଦ ଅଗ୍ରୱାଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ପୁରୀ ଏସପି ଏନେଇ ଜିଲ୍ଲା ଦୌରାଜଜଙ୍କୁ ଜଣାଇଥିବାବେଳେ ଜିଲ୍ଲା ଜଜଙ୍କ ନିର୍ଦ୍ଦେଶରେ ପୁରୀ ଜେଏମଏଫସି ଘଟଣାର ତଦନ୍ତ କରୁଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ବାପାଙ୍କୁ ୫ ଲକ୍ଷ ଟଙ୍କା ମଧ୍ୟବର୍ତୀକାଳୀନ କ୍ଷତିପୂରଣ ପ୍ରଦାନ କରାଯାଇଥିବା କଥା ମଧ୍ୟ ହାଇକୋର୍ଟଙ୍କୁ ଅବଗତକରାଯାଇଛି ।
ସୂଚନାଯୋଗ୍ୟ, ପୁରୀ ହାଜତ ମୃତ୍ୟୁ ମାମଲାରେ ପୁରୀର ଆଇନଜୀବୀ ଶରତ କୁମାର ରାୟଗୁରୁ ହାଇକୋର୍ଟରେ ଏହି ମାମଲା ରୁଜୁ କରିଥିଲେ। ଘଟଣାର ନିରପେକ୍ଷ ତଦନ୍ତ, ଉପଯୁକ୍ତ କ୍ଷତିପୂରଣ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନକାରୀ କୋର୍ଟରେ ପ୍ରାର୍ଥନା କରିଥିଲେ ।
ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁରୀ ଜିଲ୍ଲାପାଳ, ପୁରୀ ଏସପିଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି ।