ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ପରେ ଭାରତରେ ଏବେ ବାର୍ଡଫ୍ଲୁ ସଂକ୍ରମଣର ଭୟ ଆରମ୍ଭ ହୋଇଯାଇଛି । ଭୋପାଳର ଏକ ପରୀକ୍ଷାଗାରରେ ମୃତ କାଉ ଓ ବତକଙ୍କ ଠାରୁ ନିଆଯାଇଥିବା ନମୁନା ‘ଏଭିଅନ୍ ଫ୍ଲୁ’ ପଜଟିଭ୍ ହୋଇଥିବା କଥା ଜଣାପଡ଼ିବା ପରେ ‘ବାର୍ଡ ଫ୍ଲୁ’ ବ୍ୟାପିଥିବା ଦିଲ୍ଲୀ ସୁନିଶ୍ଚିତ କରିଛି । ତେଣୁ ଏହାର ସତର୍କତାମୂଳକ ପଦକ୍ଷେପ ନେବାକୁ ଯାଇ ସଞୟ ଲେକ ବା ପକ୍ଷୀ ବିହାରକୁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ କରାଯାଇଛି ଓ ଏଥି ସହିତ ଏହି ଲେକ୍କୁ ‘ଆଲର୍ଟ ଜୋନ୍’ ଭାବେ ମଧ୍ୟ ଘୋଷଣା କରାଯାଇଛି ।
ମୟୂର ବିହାର ଫେଜ୍ ୩ ରୁ ଚାରିଟି ଏବଂ ସଞ୍ଜୟ ଲେକ୍ରୁ ତିନିଟି ଏବଂ ଦ୍ୱାରକାରୁ ସଂଗୃହୀତ ଗୋଟିଏ ନମୁନାକୁ ମିଶାଇ ସମୁଦାୟ ୮ଟି ନମୁନା ‘ଏଭିଏନ୍ ଇନ୍ଫ୍ଲୁଏଞ୍ଜା’ ପଜିଟିଭ୍ ଆସିଥିବା କଥା ବିକାଶ ବିଭାଗର ପ୍ରାଣୀପାଳନ ୟୁନିଟ୍ର ଡାକ୍ତର ରାକେଶ ସିଂହ କହିଛନ୍ତି ।
ଏହାଛଡ଼ା ଜଳନ୍ଧରରେ ଥିବା ପରୀକ୍ଷାଗାରକୁ ପଠା ଯାଇଥିବା ଆଉ କେତୋଟି ନମୁନାର ଫଳାଫଳ ଆସିବାକୁ ବାକିଅଛି ବୋଲି ଡାକ୍ତର ସିଂହ କହିଛନ୍ତି। ତେବେ ଦିଲ୍ଲୀ ଛଡା ୮ ରାଜ୍ୟ ଯଥା ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା ଓ ଗୁଜୁରାଟରେ ରେ ବାର୍ଡ ଫ୍ଲୁ ଦେଖାଯାଇଛି ।