ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟ ସ୍ଥାୟୀ ଭାବରେ ବନ୍ଦ କରିଛି ଟୁଇଟର। ଏହାପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ବିଶ୍ବରେ ସୋସିଆଲ ମିଡିଆରେ ସବୁଠାରୁ ଅଧିକ ଫଲୋ କରାଯାଇଥିବା ସକ୍ରିୟ ରାଜନେତା ପାଲଟି ଯାଇଛନ୍ତି। ଟୁଇଟର ପକ୍ଷରୁ ଘୋଷଣା କରାଯାଇଛି ଯେ, ହିଂସାକାଣ୍ଡ ସୃଷ୍ଟି କରିବା ପାଇଁ ଟ୍ରମ୍ପଙ୍କର ଆକାଉଣ୍ଟକୁ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି। ଚାରିଦିନ ପୂର୍ବେ ଟ୍ରମ୍ପ ସମର୍ଥକ କ୍ୟାପିଟାଲ ବିଲ୍ଡିଂରେ ପଶି ହିଂସାକାଣ୍ଡ କରିଥିଲେ, ଯେଉଁଥିରେ ଜଣେ ପୋଲିସ ଅଧିକାରୀଙ୍କ ସହିତ ୫ ଜଣଙ୍କର ମୃତ୍ୟୁ ହୋଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବର୍ତ୍ତମାନ ୬୪.୭ ମିଲିୟନ ଫଲୋଅର୍ସ ରହିଛନ୍ତି। ତେବେ ଆକାଉଣ୍ଟ ବନ୍ଦ ହେବାପୂର୍ବରୁ ଟ୍ରମ୍ପଙ୍କର ୮୮.୭ ମିଲିୟନ ଫଲୋଅର୍ସ ଥିଲେ। ଏବେ ବି ସୋସିଆଲ ମିଡିଆରେ ସବୁଠାରୁ ଅଧିକ ଫଲୋ କରାଯାଉଥିବା ନେତା ଭାବରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମା ରହିଛନ୍ତି। ତାଙ୍କର ୧୨୭.୯ ମିଲିୟନ ଫଲୋଅର୍ସ ରହିଛନ୍ତି। ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କର ୨୩.୩ ମିଲିୟନ ଫଲୋଅର୍ସ ରହିଛନ୍ତି।