ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ନୂତନ କେନ୍ଦ୍ର କୃଷି ଆଇନ୍ ବିରୋଧରେ ସରକାର ଓ ଚାଷୀଙ୍କ ଭିତରେ ବୈଠକ ପରେ ବୈଠକ ବସିସାରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସମାଧାନର ବାଟ ଫିଟି ପାରୁନାହିଁ । ତେବେ ଆଜି ପୁଣି ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଦିଲ୍ଲୀର ବିଜ୍ଞାନ ଭବନରେ ଅଷ୍ଟମ ପର୍ଯ୍ୟାୟ ବୈଠକ ଆରମ୍ଭ ହୋଇଛି । ପ୍ରାୟ ଏକ ମାସରୁ ଅଧିକ ହେବ ରାଜଧାନୀ ଦିଲ୍ଲୀରେ ନୂଆ କୃଷି ଆଇନକୁ ପ୍ରତ୍ୟାହର ଓ ଏମଏସପିକୁ ନେଇ ଆନ୍ଦୋଳନ ଜାରି ରଖିଛନ୍ତି ଚାଷୀ । ଆଜିର ବୈଠକରୁ କୌଣସି ସମାଧାନ ନ ବାହାରିଲେ ୨୬ ତାରିଖ ଦିନ ଟ୍ରାକ୍ଟର ପରେଡ କରିବାର ଚେତାବନୀ ଦେଇଛନ୍ତି କୃଷକ ସଂଗଠନ । ତେବେ ବୈଠକ ଆରମ୍ଭରୁ ହିଁ ନିଜର ପୂର୍ବ ଦାବିକୁ ଦୋହରାଇଛି କୃଷକ ସଙ୍ଗଠନ। ସଂଶୋଧନ ନୁହେଁ ନୂତନ କୃଷି ଆଇନ ପ୍ରତ୍ୟାହାର କରାଯାଉ ବୋଲି କୃଷକ ସଂଗଠନର ନେତାମାନେ ଦାବି କରିଛନ୍ତି।
ସମାଧାନର ବାଟ ବାହାରିବ ବୋଲି ଦେଶବାସୀ ଆଶା କରୁଥିବା ବେଳେ ବୈଠକ ପୂର୍ବରୁ ଚାଷୀମାନେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ନୂଆ କୃଷି ଆଇନ ପ୍ରତ୍ୟାହାର ନହେବା ଯାଏଁ ସେମାନେ ରାସ୍ତାରୁ ହଟିବେ ନାହିଁ କହିସାରିଛନ୍ତି । ପ୍ରବଳ ଥଣ୍ଡା ଓ ବର୍ଷା ସହି ସିଙ୍ଘୁ ସୀମା ଓ ଗାଜିପୁର ସୀମାରେ ହଜାର ହଜାର ଚାଷୀ ପ୍ରତିକୁଳ ପରିସ୍ଥିତିରେ ଆନ୍ଦୋଳନ ଜାରି ରଖିଛନ୍ତି ଚାଷୀନେତାମାନେ କହିଛନ୍ତି, ଯଦି ଆଜି ଏହି ବୈଠକରେ କୌଣସି ନିଷ୍କର୍ସ ନ ବାହାରେ ତେବେ ଚାଷୀମାନେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି। ତେଣୁ ଚାଷୀ କର ବା ମର ଲଢେଇ ପାଇଁ ପ୍ରସ୍ତୁତ ରହିଛନ୍ତି ।