ସନ୍ଷ୍ଚାର ଟିଭି ବ୍ୟୁରୋ
ଲାହୋର: ମୁମ୍ବାଇ ଆତଙ୍କୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଲସ୍କର ଏ-ତୋଇବାର ଅପରେଶନ ମୁଖ୍ୟ ଜକିଓର ରେହମାନ ଲକଭିକୁ ୧୫ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଛି । ତେବେ ଏହି ଦଣ୍ଡକୁ ଶୁଣାଇଛନ୍ତି ପାକିସ୍ତାନର ଲାହୋରର ଏକ ଅଦାଲତ । ଆତଙ୍କୀ ସଂଗଠନକୁ ଅର୍ଥ ଯୋଗାଣ ମାମଲାରେ ଶୁଣାଣି କରି ଲାହୋର କୋର୍ଟ ଏହି ଦଣ୍ଡ ବିଧାନ କରିଛନ୍ତି । ସୂଚନାଯୋଗ୍ୟ ପୂର୍ବରୁ ମଧ୍ୟ ସମାନ ଅପରାଧ ପାଇଁ ଲକଭି ଗିରଫ୍ ହୋଇଥିଲେ । ଆଜି ଏହି ମାମଲାର ଶୁଣାଣି କରି ଲାହୋରର ଆତଙ୍କବାଦ ନିରୋଧ କୋର୍ଟ ଲାଖଭିଙ୍କ ବିରୋଧରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।
୨୦୦୮ରେ ୨୬/୧୧ ଆତଙ୍କବାଦୀ ହାମଲାର ମାଷ୍ଟର ମାଇଣ୍ଡ ଥିଲା ଲାଖଭି । ଭାରତୀୟ ଇତିହାସରେ ଏହି ଦିନଟି କଳା ଦିନ ଭାବେ ଚିରଦିନ ପାଇଁ ଇତିହାସରେ ଲିପିବଦ୍ଧ ହୋଇ ରହିବ ।
ଲାହୋରରେ ଜକିଓର ରେହମାନ ଲକଭି ନାମରେ ଆତଙ୍କବାଦୀ ସଂଗଠନ ମାନଙ୍କୁ ଟଙ୍କା ଯୋଗାଉଥିବା ନେଇ ଅଭିଯୋଗ ହୋଇଥିଲା । ଜକିଓର ରେହମାନ ଲକଭି ଏକ ଦାତବ୍ୟ ଚିକିତ୍ସାଳୟ ନାମରେ ପାଣ୍ଠି ସଂଗ୍ରହ କରି ଆତଙ୍କୀ ସଂଗଠନ ମାନଙ୍କୁ ଦେଉଥିବା ଅଭିଯୋଗ ହୋଇଥିଲା । ନୂଆ ଆତଙ୍କବାଦୀଙ୍କୁ ପ୍ରସ୍ତୁତ କରିବାକୁ ସେ ଅର୍ଥ ଯୋଗାଉଥିଲେ । ଏହା ପୂର୍ବରୁ ଜକିଓର ରେମାନ ଲକଭିକୁ ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ଆତଙ୍କବାଦୀ ଘୋଷଣା କରାଯାଇଥିଲା । ହେଲେ ସେ ଦୀର୍ଘଦିନ ଧରି ଗିରଫଦାରୀରୁ ବଞ୍ଚିବାକୁ ଲୁଚି ରହିଥିଲେ । ହେଲେ କିଛିଦିନ ପୂର୍ବରୁ ପାକିସ୍ତାନ ସରକାର ଜକିଓର ରେହମାନ ଲକଭିକୁ ଗିରଫ୍ କରି ଜେଲରେ ରଖିଥିଲେ ।