ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ମାହାଙ୍ଗା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ମାମଲାର ତଦନ୍ତ ଦାୟିତ୍ଵ ନେବେ ଜଣେ ଡିଆଇଜି । ଆଗାମୀ ୧୦ ଦିନ ମଧ୍ୟରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ବିଜେପି କର୍ମୀଙ୍କୁ ପୁଲିସ ଡିଜି ଅଭୟ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।
ଏହା ପୂର୍ବରୁ ଆଜି ଡିଜିପି ଅଫିସ ଘେରାଉ କରିଥିଲେ ବିଜେପି ନେତା । ତେବେ ଅଫିସ ମଧ୍ୟରେ ଡିଜିପି ଓ ନେତାଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ବାହାରେ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା ।
ବିଜେପି ନେତାମାନେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । କେଉଁ କାରଣ ପାଇଁ ୧୩ ଜଣଙ୍କ ନାଁ ଏତଲାରେ ଥିଲେ ହେଁ ମାତ୍ର ୭ ଜଣଙ୍କୁ ଗିରଫ କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା । ମୃତ୍ୟୁ ପୂର୍ବରୁ ଦିବ୍ୟସିଂହ ବରାଳ କିଛି ଲୋକଙ୍କ ନାଁ ନେଇଥିଲେ ବି ସେ ଦିଗରେ ପୁଲିସ କୌଣସି ପଦକ୍ଷପ ନେଇ ନଥିବା ଅଭିଯୋଗ ହୋଇଛି । ହିଂସା କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଥିବା ରାଜ୍ୟ ସରକାରଙ୍କ କାହିଁକି ଏଭଳି ଆଭିମୁଖ୍ୟ ବୋଲି ପ୍ରଶ୍ନ କରି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ଷେପ କରିଛି ବିଜେପି ।