ସନ୍ଷ୍ଟାର ଟିଭି ବ୍ୟୁରୋ
ବିଶାଖାପାଟଣା: ବ୍ରାହ୍ମଣମାନଙ୍କ ପାଇଁ ଏକ ବଡ଼ ଘୋଷଣା। ଏଣିକି ଗରିବ ବ୍ରାହ୍ମଣଙ୍କୁ ବିବାହ କଲେ ମିଳିବ ଟଙ୍କା। ୨୫,୦୦୦ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ। ଏବଂ ଏହି ଟଙ୍କା ଯୋଗାଇଦେବେ ରାଜ୍ୟ ସରକାର। ଏମିତି ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର। କର୍ଣ୍ଣାଟକ ସରକାରଙ୍କ ଅଧୀନରେ କାମ କରୁଥିବା ବ୍ରାହ୍ମଣ ବିକାଶ ବୋର୍ଡ ଏବେ ଅରୁନ୍ଧତୀ ଓ ମୈତ୍ରୀୟୀ ନାମରେ ୨ଟି ଯୋଜନା କାର୍ଯ୍ୟକାରୀ କରିବା ନେଇ ଘୋଷଣା କରିଛନ୍ତି। ଅରୁନ୍ଧତୀ ଯୋଜନା ଅନୁସାରେ, ପ୍ରତି ବ୍ରାହ୍ମଣ ଯୁବତୀଙ୍କ ବିବାହ ସମୟରେ ତାଙ୍କ ପରିବାରକୁ ବୋର୍ଡ ପକ୍ଷରୁ ୨୫,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। କିନ୍ତୁ ମୈତ୍ରୀୟୀ ଯୋଜନା ଅନୁସାରେ, ଯଦି ଜଣେ ଯୁବତୀ ନିଜ ସମୁଦାୟର ପୁରୋହିତ କିମ୍ବା ମନ୍ଦିର ପୂଜାରୀଙ୍କୁ ବିବାହ କରନ୍ତି ତାହେଲେ ତାଙ୍କୁ ୩ ଲକ୍ଷ ଟଙ୍କାର ସହାୟତା ମିଳିବ। ଏଥିପାଇଁ ବୋର୍ଡ ତରଫରୁ କିଛି ସର୍ତ୍ତ ରଖାଯାଇଛି।
ଏହି ସର୍ତ୍ତ ଅନୁଯାୟୀ, ପ୍ରଥମେ ଦମ୍ପତିଙ୍କୁ ବୋର୍ଡର ୱେବସାଇଟରେ ସମସ୍ତ ବିବରଣୀ ସହ ପଞ୍ଜୀକରଣ କରିବାକୁ ହେବ ଏବଂ ବିବାହର ୫ ବର୍ଷ ପରେ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ। ଉଭୟ ଦମ୍ପତି ଆର୍ଥିକ ଅନଗ୍ରସର ଶ୍ରେଣୀର ବୋଲି ସେମାନଙ୍କୁ ସଠିକ ପ୍ରମାଣ ଦେବାକୁ ପଡିବ। ବୋର୍ଡ କହିଛନ୍ତି ଯେ, କର୍ଣ୍ଣାଟକ ରାଜ୍ୟର ଅନେକ ମନ୍ଦିରର ପୂଜାରୀ ଓ ପୁରୋହିତମାନେ ଅତି ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି । ଏଣୁ ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ତଥା ସେମାନଙ୍କ ଭବିଷ୍ୟତ ଉଜ୍ୱଳମୟ କରିବା ପାଇଁ ଏହି ସହାୟତା ପ୍ରଦାନ କରାଯାଉଛି।
ଏହି ଅର୍ଥର ବ୍ୟବହାର କରି ବ୍ରାହ୍ମଣ ଦମ୍ପତି ଛୋଟମୋଟ ବ୍ୟବସାୟ କରିପାରିବେ। ନିଜର ତଥା ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏହି ଅର୍ଥର ସୁବିନିଯୋଗ କରିପାରିବେ। ତେବେ କର୍ଣ୍ଣାଟକ ସରକାରଙ୍କ ଏହି ନିଷ୍ପତିକୁ ବିରୋଧୀ ଦଳ ବିରୋଧ କରିବା ସହ ବ୍ରାହ୍ମଣ ପରିବାରର ଝିଅମାନେ ଯେପରି ଉଚ୍ଚ ଶିକ୍ଷା ହାସଲ କରିପାରିବେ ଏବଂ ନିଜେ କିଛି ବ୍ୟବସାୟ କରିବା ପାଇଁ ସକ୍ଷମ ହୋଇପାରିବେ ସେଥିପାଇଁ ରାଜ୍ୟ ସରକାର କାହିଁକି ସହାୟତା କରୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଏପରିକି ବ୍ରାହ୍ମଣ ଯୁବକ ଓ ଯୁବତୀଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ କ’ଣ ବିବାହ କି ବୋଲି ବିରୋଧୀ ଦଳ ସରକାରଙ୍କୁ ପ୍ରଶ୍ନ କରି ଏହାର ଉତ୍ତର ଜାଣିବାକୁ ଚାହିଁଛନ୍ତି।
ସୂଚନାଥାଉ କି, ଅରୁନ୍ଧତୀ ଯୋଜନାରେ ୫୫୦ ଜଣ ଗରିବ ଯୁବତୀଙ୍କ ବିବାହ ପାଇଁ ସେମାନଙ୍କ ପରିବାରକୁ ୨୫ ହଜାର ଲେଖାଏଁ ଟଙ୍କା ସହାୟତା ଆକାରରେ ଯୋଗାଇ ଦିଆଯିବ। ସେହିପରି ମୈତ୍ରୀ ଯୋଜନାରେ ୩ ବର୍ଷ ଭିତରେ ୨୫ ଜଣ ମହିଳା ଯେଉଁମାନେ ଗରିବ ପୂଜାରୀଙ୍କୁ ବିବାହ କରିବେ ସେମାନଙ୍କୁ ୩ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯିବ।