ସନ୍ଷ୍ଟାର ଟିଭି ବ୍ୟୁରୋ
କରୋନା ମହାମାରୀ ବିଶ୍ଵକୁ ଆତଙ୍କିତ କରି ରଖିଥିବା ସମୟରେ ଏବେ ବାର୍ଡ ଫ୍ଲୁ ଆଉ ଏକ ଆତଙ୍କ ଭାବରେ ଭାରତରେ ଦେଖାଯାଇଛି । କରୋନା ଠାରୁ ଏହି ଭାଇରସ ଆହୁରୀ ଭୟଙ୍କର ଅଟେ । କାରଣ ଏହି ଭାଇରସରେ ସଂକ୍ରମିତ ଲୋକଙ୍କ ମୃତ୍ୟୁହାର ଅଧିକ ଅଟେ । କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହାର ଅପେକ୍ଷା ଏହା ଖୁବ୍ ଅଧିକ । ସେଥିପାଇଁ ବାର୍ଡ ଫ୍ଲୁକୁ ନେଇ ଦେଶର ଅଧିକାଂଶ ରାଜ୍ୟରେ ହାଇଆର୍ଲଟ ଜାରି ହୋଇସାରିଲାଣି । ଭାରତ ସରକାରଙ୍କ ଅନୁଯାୟୀ ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, କେରଳରେ ବାର୍ଡ ଫ୍ଲୁ ଦେଖାଯାଇଛି ।
ବାର୍ଡ ଫ୍ଲୁର ଭାଇରସ ଆଭିଏନ୍ ଇନ୍ଫ୍ଲୁଏନ୍ଜା(Avian Influenza) କରୋନା ତୁଳନାରେ ଅଧିକ ସଂକ୍ରମିତ ଓ ଘାତକ ମଧ୍ୟ ଅଟେ ।ଏହି ଇନ୍ଫ୍ଲୁଏନ୍ଜାର ୧୧ ଟି ଭାଇରସ ଅଛି ଯାହା ମଣିଷମାନଙ୍କୁ ସଂକ୍ରମିତ କରିଥାଏ । କିନ୍ତୁ ତାମଧ୍ୟରୁ ୫ ଟି ଏପରି ଭାଇରସ ଅଛି ଯାହା ମଣିଷମାନଙ୍କ ଜୀବନ ନେଇପାରେ ସେହି ଭାଇରସ ଗୁଡିକ ହେଉଛି H5N1, H7N3, H7N7,H9N2 । ତେବେ ଏହି ଭାଇରସ୍ ପକ୍ଷୀମାନଙ୍କ ଦ୍ଵାରା ବ୍ୟାପି ଥାଏ ।
୬୦ରୁ ଅଧିକ ଦେଶରେ ବାର୍ଡ ଫ୍ଲୁ ମହାମାରୀର ରୂପ ନେଇସାରିଛି । ୨୦୦୩ରୁ ଆଜି ଯାଏଁ ଏହି ରୋଗରେ ୮୬୧ ଜଣ ସଂକ୍ରମିତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରେ ୪୫୫ ଜଣଙ୍କ ମୃତ୍ୟୁ ହୋଇଛି । ତେଣୁ ଏହି ରୋଗରେ ମୃତ୍ୟୁହାର ୫୨.୮ ପ୍ରତିଶତ ଅଟେ ।
H5N1 ବାର୍ଡ ଫ୍ଲୁର ସବୁଠୁ ଭୟଙ୍କର ଭାଇରସ ଅଟେ । ଏହା ବିଶେଷକରି ଦକ୍ଷିଣ-ପୂର୍ବ ଏସିଆରେ ଦେଖାଯାଇଥାଏ । ୨୦୦୮ରେ ଏହି ଭାଇରସ ଚୀନ, ଇଣ୍ଡୋନେସିଆ, ପାକିସ୍ତାନ ଆଦି ଦେଶରେ ୧୧ ଥର ବ୍ୟାପିଛି । ୨୦୦୬ ରୁ ଏବେ ଯାଏଁ ଏହି ଭାଇରସ ୬୫ ଥର ବ୍ୟାପିଥିବା ଦେଖାଯାଇଛି । ତେବେ ଆମେରିକା, ବ୍ରିଟେନ, ଫ୍ରାନ୍ସ , କାନାଡା ଆଦି ଦେଶରେ ଏହି ଭାଇରସର ଭ୍ୟାକସିନ ମଧ୍ୟ ରହିଛି ।
ପ୍ରଥମେ ଏହି ଭାଇରସ୍ ୧୯୯୬ରେ ଚୀନରେ ଦେଖାଯାଇଥିଲା । କିନ୍ତୁ ମଣିଷ ଶରୀରରେ ଏହା ୧୯୯୭ରେ ଚିହ୍ନଟ କରାଯାଇଥିଲା । ଏହି ଭାଇରସ୍ ବାୟୁ ବାହିତ ଅଟେ ଅର୍ଥାତ୍ ଏହା ବାୟୁରେ ଖୁବ୍ ଶିଘ୍ର ବ୍ୟାପିଥାଏ । ତେବେ ଏହା ମନୁଷ୍ୟ ପାଖରୁ ମନୁଷ୍ୟ ପାଖକୁ ଖୁବ୍ କମ୍ ସଂକ୍ରମିତ ହୋଇଥାଏ । କିନ୍ତୁ ପଶୁ ଓ ପକ୍ଷୀମାନଙ୍କ ଜରିଆରେ ଏହା ଖୁବ୍ ଶୀଘ୍ର ସଂକ୍ରମଣ ହୋଇଥାଏ ।