ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ‘ମୋ ସାଇକେଲ୍’ର ହେବାକୁ ଯାଉଛି ନୂତନୀକରଣ । ଖୁବ୍ଶୀଘ୍ର ‘ମୋ ସାଇକେଲ୍ ଆପ୍’ କାର୍ଯ୍ୟକାରୀ କରାଯିବ । ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ଓ ଭୁବନେଶ୍ୱର ମହାନଗର ନିଗମ ମିଳିତ ଭାବେ ଏହି ପଦକ୍ଷେପ ନେବେ । ସ୍ମାର୍ଟସିଟିର ସିଇଓ ତଥା ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କ ନିର୍ଦ୍ଦେଶରେ ସାଇକେଲ୍ ଚାଳକଙ୍କୁ ଉତ୍ସାହିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଫେବ୍ରୁଆରିଠାରୁ ଏହି ସୁବିଧାର ଉପଯୋଗ ହୋଇପାରିବ।
ଏହା ଫଳରେ କେବଳ ଗୋଟିଏ ଆପ୍କୁ ବ୍ୟବହାର କରି ଚାଳକମାନେ ୩ଟି କମ୍ପାନିର ସାଇକେଲ୍ ଚଢ଼ି ପାରିବେ। କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ(ସିଆର୍ୟୁଟି)ରୁ ‘ମୋ ସାଇକେଲ୍’ ଦାୟିତ୍ୱ କାଢ଼ି ନିଆଯିବା ପରେ ବିଏସ୍ସିଏଲ୍ ଓ ବିଏମ୍ସିର ମିଳିତ ପ୍ରୟାସରେ ଏହାର ପୁନରୁଦ୍ଧାର ଏବଂ ନବୀକରଣ ସ୍ୱରୂପ ବିଭିନ୍ନ ସାଇକେଲ୍ ଡିପୋରେ ଥିବା ସାଇକେଲ୍କୁ ସର୍ଭେ କରାଯାଇଛି ।
ବର୍ତ୍ତମାନ ସମୁଦାୟ ୨ ହଜାର ସାଇକେଲ୍ରୁ ୧୬୦୦ଟି କାର୍ଯ୍ୟକାରୀ ଅବସ୍ଥାରେ ରହିଛି । ବାକି ୪୦୦ଟି ସାଇକେଲ୍ର ମରାମତି ପାଇଁ ପଦକ୍ଷେପ ନିଆଯାଇଛି । ପବ୍ଲିକ୍ ବାଇ ସାଇକେଲ୍ ସେୟାରିଂ ବା ପିବିଏସ୍କୁ ଅଧିକ ଲୋକାଭିମୁଖୀ କରାଯିବ। ପଦକ୍ଷେପସ୍ୱରୂପ, ୨ଟି ମୁଖ୍ୟ ସାଇକେଲ୍ ଟ୍ରାକ୍ରେ ପିବିଏସ୍ର ଉନ୍ନତି ଘଟାଇବା, ଶିଶୁଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ଓ ପଟିଆ ଛକରୁ ଇନ୍ଫୋସିଟି ଦେଇ କିଟ୍ ପର୍ଯ୍ୟନ୍ତ ସାଇକେଲ୍ ଟ୍ରାକ୍ର ଉନ୍ନତି କରିବା ଏବଂ ଏହି ଟ୍ରାକ୍ରେ ଅଧିକରୁ ଅଧିକ ସାଇକେଲ୍ର ବ୍ୟବହାର କରାଇବା ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ହେବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।