ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଦେଶରେ ଖୁବ ଶୀଘ୍ର ହେବ ଟିକାକରଣ । ଆସନ୍ତା ୧୦ ଦିନ ମଧ୍ୟରେ ଅର୍ଥାତ ଜାନୁଆରି ୧୩-୧୪ ସୁଦ୍ଧା ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇପାରେ ବୋଲି ଆଜି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ପ୍ରେସ୍ମିଟ୍ ଯୋଗେ ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ, ଦେଶରେ ଉପଲବ୍ଧ ଟିକାଗୁଡ଼ିକ ଶରୀରରେ ଆଣ୍ଟିବଡି ବା ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି କରିବ । ଏଣୁ ଭୂତାଣୁରେ ପରିବର୍ତ୍ତନ ଟିକାର କାର୍ଯ୍ୟକାରିତା ଉପରେ ସେପରି କିଛି ପ୍ରଭାବ ପକାଇବ ନାହିଁ ।
ସେ କହିଛନ୍ତି ଯେ ଭାରତରେ ଅନୁମତିପ୍ରାପ୍ତ ଟିକା ଦୁଇଟି ସମ୍ପର୍କରେ ଯଥେଷ୍ଟ ତଥ୍ୟ ସରକାରଙ୍କ ପାଖରେ ରହିଛି । ସେସବୁ ତଥ୍ୟରୁ ଜଣାପଡ଼ିଛି ସେ ଏହି ଟିକାଗୁଡ଼ିକ ବେଶ ନିରାପଦ । ଏସବୁ ଟିକାଗୁଡ଼ିକର ରପ୍ତାନି ଉପରେ ମଧ୍ୟ ସରକାର କୌଣସି କଟକଣା ଲଗାଇନାହାନ୍ତି ।
ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଦେଶରେ ଏବେ ଅଢେଇ ଲକ୍ଷରୁ କମ ସଂଖ୍ୟକ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି ଓ ସେମାନଙ୍କ ମଧ୍ୟରୁ ୪୪ ପ୍ରତିଶତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ୫୬ ପ୍ରତିଶତ ଆକ୍ରାନ୍ତ ଘରେ ଚିକିତ୍ସିତ ହେଉଛନ୍ତି । ମୋଟାମୋଟି ଭାବେ ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ କରୋନା ମହାମାରୀର ଚାପ ହ୍ରାସ ପାଉଛି ବୋଲି ସ୍ଵାସ୍ଥ୍ୟ ମନ୍ତ୍ରାଳୟ କହିଛନ୍ତି ।