ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ବିରୋଧ କରି ଦୀର୍ଘ ଏକ ମାସ ହେବ ଦିଲ୍ଲୀ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି କୃଷକ ସଙ୍ଗଠନ ।ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ବୈଠକ ପରେ ବୈଠକ ବସୁଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଆଜି ଅପରାହ୍ନ ୨ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ତେବେ ଏହି ବୈଠକରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଯୋଗ ଦେବେ । ଏହା କୃଷକ ଓ ସରକାରଙ୍କ ମଧ୍ୟରେ ସପ୍ତମ ବୈଠକ ଅଟେ ।
ଯାହାକୁ ଦୃଷ୍ଟିରେ ରଖି ଆଜି ଚାଷୀ ଆନ୍ଦୋଳନ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ଆସିବ ବୋଲି ଚର୍ଚ୍ଚା ହେଉଛି । ଗତ ବୈଠକରେ ଦୁଇଟି ପ୍ରସଙ୍ଗରେ ହୋଇଥିଲା ସହମତି । ସରକାର ଦାବି ମାନିନେବା ନେଇ ଆଶାବାଦୀ ଅଛନ୍ତି ଚାଷୀ ।
ପୂର୍ବ ବୈଠକରେ ଦୁଇଟି ପ୍ରସ୍ତାବ ଉପରେ ସହମତି ହୋଇଥିବା ବେଳେ ଆଜି କୃଷି ଆଇନ୍ ପ୍ରତ୍ୟାହାର ଓ ଏମଏସପି ଉପରେ ଆଲୋଚନା ହେବ। ତେବେ ବୈଠକରେ ସମାଧାନର ବାଟ ବାହାରୁଛି କି ନାହିଁ ତାହା ଉପରେ ରହିଛି ନଜର । ହକ୍ ପାଇଁ ଥଣ୍ଡା, ବର୍ଷାରେ ଦୀର୍ଘ ୩୯ ଦିନ ଧରି ଆନ୍ଦୋଳନରେ ବସି ରହିଛନ୍ତି ଚାଷୀ । ଏହା ମଧ୍ୟରେ ୩୦ରୁ ଅଧିକ ଚାଷୀଙ୍କ ଜୀବନ ଗଲାଣି। ଚାଷୀ କହିଛନ୍ତି, ଆମ ଦାବି ପୂର୍ବଭଳି ଅପରିବର୍ତ୍ତିତ ରହିଛି । ନୂଆ ଆଇନ ରଦ୍ଦ ଓ MSPରେ ଗ୍ୟାରେଣ୍ଟି ନ ମିଳିବା ଯାଏ ଆନ୍ଦୋଳନ ହଟିବନି ବୋଲି କିଷାନ ମଜଦୁର୍ ସଂଘ ପକ୍ଷରୁ କୁହାଯାଇଛି । ନ ହେଲେ ଆସନ୍ତା ୨୬ ଜାନୁଆରୀ ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକ୍ଟର ମାର୍ଚ୍ଚ କରାଯିବ ବୋଲି ଚାଷୀ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।ତେବେ ପୂର୍ବ ବୈଠକରେ ବିଜୁଳୀ ସଂଶୋଧନ ଆଇନ୍ରେ କୃଷକ ଓ ସରକାରଙ୍କ ମଧ୍ୟରେ ସହମତି ହୋଇଥିଲା ।