ସନ୍ଷ୍ଟାର ଟିଭି ବ୍ୟୁରୋ
ମାହାଙ୍ଗା: ମାହାଙ୍ଗା ବିଜେପି ନେତା କୁଳମଣି ବରାଳ ହତ୍ୟା ଘଟଣାରେ ରାଜ୍ୟ ରାଜ୍ୟନୀତି ସରଗରମ ହେବାରେ ଲାଗିଛି ।ଏହି ଘଟଣା ପଛରେ ସ୍ଥାନୀୟ ବିଧାୟକ ତଥା ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ୧୨ଜଣଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପୁଅ ତଥା ସମିତି ସଭ୍ୟ ରମାକାନ୍ତ ବରାଳ। ହତ୍ୟା ପଛରେ ମନ୍ତ୍ରୀଙ୍କ ହାତ ରହିଛି। ମନ୍ତ୍ରୀ ମଧ୍ୟ ଜୀବନରେ ତାଙ୍କୁ ମାରିଦେବାକୁ ଧମକ ଦେଇଥିବା ନେଇ ଏତଲାରେ ଦର୍ଶାଇଛନ୍ତି ରମାକାନ୍ତ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ପ୍ରସଙ୍ଗ ଉଠାଇବା ତଥା ପୂର୍ବରୁ ହୋଇଥିବା ବିକାଶ ଜେନା ହତ୍ୟାକାଣ୍ଡରେ ନ୍ୟାୟ ପାଇଁ ଲଢ଼ିବା କାରଣରୁ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଛି ବୋଲି ମୃତକଙ୍କ ପୁଅ ରମାକାନ୍ତ ଅଭିଯୋଗ କରିଛନ୍ତି । ଫେରାର ଥିବା ସରପଞ୍ଚଙ୍କ ସ୍ବାମୀ ଓ ଅନ୍ୟ ୧୧ଜଣ ମିଶି ହତ୍ୟାକାଣ୍ଡ ଘଟାଇଥିବା ସେ କହିଛନ୍ତି।
ପୁଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁସାରେ, ଶନିବାର ରାତି ସାଢ଼େ ୭ଟା ୧୫ ସମୟରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ତଥା ଦାଦା ଦିବ୍ୟସିଂହ ବରାଳ ଯଁକୋଟି ଗ୍ରାମ ରାସ୍ତାଦେଇ ବାଇକ୍ରେ ସେମାନଙ୍କ ଗାଁ ନୃତ୍ତାଙ୍ଗକୁ ଫେରୁଥିଲେ । ଯଁକୋଟି ବ୍ରାହ୍ମଣସାହି ନିକଟରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଭିକାରୀ ଚରଣ ସ୍ବାଇଁ, ପୁଅ ଉମାକାନ୍ତ, ସରପଂଚଙ୍କ ସ୍ବାମୀ କାବୁଆ ଓରଫ୍ ପ୍ରଫୁଲ୍ଲ ବିଶ୍ବାଳ, ଦିଅର ପ୍ରମୋଦ ବିଶ୍ବାଳ, ଲଳିତ ବରାଳ, ବିଜୟ ବରାଳ, କ୍ଷୀତୀଶ ଆଚାର୍ଯ୍ୟ, ମଳୟ ବାରିକ, ସନ୍ତୋଷ ପାଣି, ପଂଚାନନ ସେଠୀ, ଚୈତନ୍ୟ ସେଠୀ, କୈଳାସ ଖଟୁଆଙ୍କ ସମେତ ଅନ୍ୟମାନେ ସଂଘବଦ୍ଧ ହୋଇ ଖଣ୍ଡା, କଟୁରୀ, ବନ୍ଧୁକ, ଚାପଡ ପ୍ରଭୃତି ମାରଣାସ୍ତ୍ରରେ ଉଭୟଙ୍କ ମୁଣ୍ଡ ଓ ବେକକୁ ନୃଶଂସ ଭାବେ ହାଣି ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ କୁଳମଣି ଓ ଏସ୍ସିବିରେ ତାଙ୍କ ଦାଦା ଦିବ୍ୟ ସିଂହଙ୍କ ମୃତ୍ୟୁ ଘଟିଥିଲା ।
ଅନ୍ୟପଟେ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କଟକ ଏସ୍ପି ମାହାଙ୍ଗାରେ ଡେରା ପକାଇଛନ୍ତି । ଡିଆଇଜି ଆଶିଷ ସିଂହ ମାହାଙ୍ଗାରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ପୁଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ତଥା ଅପରାଧୀଙ୍କୁ ଧରିବା ପାଇଁ ୫ଜଣିଆ ଟିମ୍ ଗଠନ କରିଛି ।
ତେବେ ଅପରପକ୍ଷରେ ଆଇନ୍ମନ୍ତ୍ରୀ ପ୍ରତାପ ଜେନା ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଘଟଣାରେ ଯିଏ ସମ୍ପୃକ୍ତ ଅଛନ୍ତି ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।