ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ନ୍ୟାସ୍ନାଲ୍ ମେଟ୍ରୋଲୋଜି କନ୍କ୍ଲେଭ୍ର ଉଦ୍ଘାଟନ କରିଛନ୍ତି । ତେବେ ଏହି ଉଦ୍ଘାଟନ ସମାରୋହରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ, ବିଜୟ ରାଘବନ , ସିଏସ୍ଆଇଆରର ମୁଖ୍ୟ ଶେଖର ସି ମାନ୍ଡେ ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ। ‘ନ୍ୟାସ୍ନାଲ୍ ଏନ୍ଭାଇରୋନ୍ମେଣ୍ଟାଲ୍ ଷ୍ଟାଣ୍ଡାର୍ଡ ଲାବ୍ରୋଟରି’ର ମଧ୍ୟ ଶିଳାନ୍ୟାସ କରିଛନ୍ତି। ‘ନ୍ୟାସ୍ନାଲ୍ ଆଟୋମିକ୍ ଟାଇମ୍ସ୍କେଲ୍’ ଏବଂ ‘ଭାରତୀୟ ନିର୍ଦେଶକ ଦ୍ରବ୍ୟ’କୁ ରାଜକୋଷକୁ ଉତ୍ସର୍ଗ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେଇ କହିଛନ୍ତି ଯେ ଭାରତୀୟ ବୈଜ୍ଞାନିକ ମାନେ ଦୁଇଟି ମେଡ ଇନ ଇଣ୍ଡିଆ କୋଭିଡ ୧୯ ଟିକା ତିଆରି କରିବାରେ ସକ୍ଷମ ହୋଇଛନ୍ତି । ଭାରତରେ ବିଶ୍ଵର ସବୁଠୁ ବଡ କୋଭିଡ-୧୯ର ଟିକାକରଣ ହେବାକୁ ଯାଉଛି । ଏଥିପାଇଁ ଦେଶର ବୈଜ୍ଞାନିକ ଓ ଟେକ୍ନିସିଆନ୍ ମାନଙ୍କ କାର୍ଯ୍ୟ ଓ ସହଯୋଗିତା ପାଇଁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ସମଗ୍ର ଦେଶରେ ଥିବା ଶିକ୍ଷା ପ୍ରତିଷ୍ଠାନର ଶିକ୍ଷାର୍ଥୀମାନଙ୍କ ସହ ଆଳାପ ଆଲୋଚନା କରି ସେମାନଙ୍କ ଅଭିଜ୍ଞତା ସବୁକୁ ପରବର୍ତ୍ତୀ ପିଢ଼ି ସହ ସେୟାର୍ କରିବାକୁ ସେ ‘ସିଏସ୍ଆଇଆର୍’ ବୈଜ୍ଞାନିକମାନଙ୍କୁ କହିଛନ୍ତି। ଫଳରେ ଆଗାମୀ ଦିନ ପାଇଁ ନୂଆ ପିଢ଼ିର ଯୁବ ବୈଜ୍ଞାନିକ ସୃଷ୍ଟି ପାଇଁ ପ୍ରସ୍ତୁତି ହୋଇପାରିବ ବୋଲି ସେ ମତ ଦେଇଛନ୍ତି।