ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ବଜାରରେ କରୋନା ଟିକା ‘କୋଭିସିଲ୍ଡ୍’ର ବିକ୍ରୟ ଏବଂ ବଣ୍ଟନ ନିମନ୍ତେ ଉତ୍ପାଦନ କରିବା ଲାଗି ‘ଡ୍ରଗ୍ସ୍ କଣ୍ଟ୍ରୋଲର୍ ଜେନେରାଲ ଅଫ୍ ଇଣ୍ଡିଆ’ ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’କୁ ଆଜି ଅନୁମତି ପ୍ରଦାନ କରିଛନ୍ତି। ଅକ୍ସ୍ଫୋର୍ଡ୍ ‘କୋଭିସିଲ୍ଡ୍’ ଏବଂ ଭାରତ ବାୟୋଟେକ୍ର ‘କୋଭାକ୍ସିନ୍’କୁ ସୀମିତ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବା ପରେ ‘ଡିସିଜିଆଇ’ ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’କୁ ଟିକା ଉତ୍ପାଦନ କରିବାକୁ ଅନୁମତି ଦେଇଛନ୍ତି।
ଅନ୍ୟ ପକ୍ଷରେ, ଏକ ସମ୍ବାଦ ସଂସ୍ଥାକୁ ଟେଲିଫୋନ୍ରେ ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ର ‘ସିଇଓ’ ଅଦର ପୁନାଓ୍ଵାଲା କହିଛନ୍ତି ଯେ, ଘରୋଇ ବଜାରରେ ଟିକା ବିକ୍ରୟ କରିବା ଲାଗି କମ୍ପାନିକୁ ମନା କରାଯାଇଛି। ସେ କହିଛନ୍ତି, ଏବେ ଆମେ କେବଳ ସରକାରଙ୍କୁ ହିଁ ଟିକା ଯୋଗାଇ ଦେବୁ।
ପ୍ରଥମ ପର୍ଯ୍ୟାୟରେ ଭାରତ ସରକାରଙ୍କୁ ‘ଡୋଜ୍’ପିଛା ୨୦୦ ଟଙ୍କାରେ ପ୍ରଥମ ୧୦୦ ନିୟୁତ ଟିକା ବିକ୍ରୟ କରାଯିବ। ଏହାପରେ ଟିକାର ଦର ବୃଦ୍ଧି କରାଯିବ। ଘରୋଇ ବଜାରରେ ‘ଡୋଜ୍’ପିଛା ଟିକାର ମୂଲ୍ୟ ରହିବ ୧୦୦୦ ଟଙ୍କା। ସରକାରଙ୍କ ସହ ରାଜିନାମା ଚୂଡ଼ାନ୍ତ ହେବାର ସାତରୁ ଦଶ ଦିନ ମଧ୍ୟରେ ଆବଶ୍ୟକ କରୁଥିବା ଭାରତୀୟ ରାଜ୍ୟମାନଙ୍କରେ ଟିକା ଡେଲିଭରି କରାଯିବ।