ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜି ସମ୍ବଲପୁର ‘ଆଇଆଇଏମ୍’ର ସ୍ଥାୟୀ କ୍ୟାମ୍ପସ୍ ସ୍ଥାପନ ନିମନ୍ତେ ଶିଳାନ୍ୟାସ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶିଳାନ୍ୟାସ କରିଛନ୍ତି । ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମଧ୍ୟ ଶୁକ୍ରବାର ଦିନ ଟୁଇଟ୍ କରି ଲେଖିଥିଲେ, ଜାନୁଆରି ୨ ତାରିଖ ଦିନ ୧୧ଟା ସମୟରେ ‘ଆଇଆଇଏମ୍-ସମ୍ବଲପୁର’ର ସ୍ଥାୟୀ କ୍ୟାମ୍ପସ୍ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିବି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ବିଶେଷ ଭାବେ ମୁଁ ଶିକ୍ଷାର୍ଥୀ ବନ୍ଧୁ ଏବଂ କମ୍ପାନି ଜଗତ୍ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଅନୁରୋଧ କରୁଛି। ଜାତୀୟ ଅଗ୍ରଗତିରେ ‘ଆଇଆଇଏମ୍’ର ସମୃଦ୍ଧ ଅବଦାନ ଲାଗି ଭାରତ ଗୌରବାନ୍ଵିତ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୟାଲ୍ ‘ନିଶଙ୍କ’, ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ରହିଛନ୍ତି। ଭର୍ଚ୍ୟୁଆଲ୍ ଭାବେ ଏହି ଉତ୍ସବରେ ସରକାରୀ କର୍ମଚାରୀ, ଶିଳ୍ପପତି, ଶିକ୍ଷାବିତ୍ ଏବଂ ଶିକ୍ଷାର୍ଥୀ ‘ଆଇଆଇଏମ୍-ସମ୍ବଲପୁର’ର ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସମେତ ୫ ହଜାରରୁ ଊର୍ଦ୍ଧ୍ୱ ଆମନ୍ତ୍ରିତ ବ୍ୟକ୍ତି ଅଂଶଗ୍ରହଣ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁସାରେ, ‘ଫ୍ଲିପଡ୍ କ୍ଲାସ୍ରୁମ୍’ ପ୍ରଚଳନ କରିବାରେ ‘ଆଇଆଇଏମ୍-ସମ୍ବଲପୁର’ ହେଉଛି ଦେଶର ସମସ୍ତ ‘ଆଇଆଇଏମ୍’ମାନଙ୍କ ମଧ୍ୟରେ ପ୍ରଥମ। ‘ଫ୍ଲିପଡ୍ କ୍ଲାସ୍ରୁମ୍’ରେ ଡିଜିଟାଲ୍ ମୋଡ୍ରେ ମୌଳିକ ତତ୍ତ୍ୱ ଶିକ୍ଷା ଦିଆଯାଉଥିବା ବେଳେ ଶିଳ୍ପରୁ ସିଧା ପ୍ରସାରଣ ଜରିଆରେ ଶ୍ରେଣୀ ଗୃହରେ ଆନୁଭୂତିକ ଶିକ୍ଷା ଦାନ କରାଯାଏ।