ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଦୀର୍ଘ ଦିନର ଆନ୍ଦୋଳନ ପରେ ଉତ୍କଳ ବିଶ୍ଵବିଦ୍ୟାଳୟର ବିଏଡ୍ ପରୀକ୍ଷାକୁ ଅନ୍ଲାଇନ୍ରେ କରିବାକୁ ଅନୁମତି ଦେଇଛନ୍ତି ଉତ୍କଳ ବିଶ୍ଵବିଦ୍ୟାଳୟର କମ୍ପଟ୍ରୋଲର୍ । ୨-୩ ଦିନ ମଧ୍ୟରେ ନୋଟିସ ଜାରି କରାଯିବ ବୋଲି କହିଛନ୍ତି କମ୍ପଟ୍ରୋଲର୍ । ପରୀକ୍ଷା ପୂର୍ବ ସ୍ଥିରିକୃତ ତାରିଖରେ ହିଁ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନରୁ ଓହରି ଥିଲେ ଛାତ୍ରଛାତ୍ରୀ ।
ତେବେ ସୂଚନା ଅନୁସାରେ ଅଫ୍ଲାଇନରେ ବିଏଡ୍ ପରୀକ୍ଷା ବିରୋଧ ଦାବିରେ ବିଏଡ୍ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏଡ୍ ପରୀକ୍ଷାକୁ ଅନ୍ଲାଇନ୍ ମୋଡରେ କରିବାକୁ ସେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ତାଙ୍କ କଥାକୁ ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି କର୍ଣ୍ଣପାତ କରୁନାହାନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ ।
ତେବେ ଗତ ୨୨ ତାରିଖରେ ସେମାନେ ପ୍ରଥମେ ଏନେଇ ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତିଙ୍କୁ ଦାବି ପତ୍ର ଦେଇଥିଲେ । ସେତେବେଳେ କୁଳପତି ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ପ୍ରତ୍ୟେକ କଲେଜର ପ୍ରିନ୍ସିପଲ୍ ଯଦି ନିଜର ସ୍ପଷ୍ଟୀକରଣ ଲିଖିତ ଆକାରରେ ଦିଅନ୍ତି ତେବେ ଅନଲାଇନରେ ପରୀକ୍ଷା କରିବା ପାଇଁ ସେ ନିଷ୍ପତି ନେବେ ବୋଲି ସୂଚନା ଦେଇଥିଲେ । କିନ୍ତୁ କଲେଜ ପ୍ରିନ୍ସିପାଲ ଲିଖିତ ଆକାରରେ ସ୍ପଷ୍ଟୀକରଣ ଦେଇସାରିଥିଲେ ମଧ୍ୟ କୁଳପତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହାନ୍ତି ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି । ଅନ୍ୟ ବିଶ୍ଵବିଦ୍ୟାଳୟ ଗୁଡିକରେ ଏହି ପରୀକ୍ଷାକୁ ଅନ୍ଲାଇନରେ କରାଯାଇଥିବା ବେଳେ କେବଳ ଉତ୍କଳ ବିଶ୍ଵବିଦ୍ୟାଳୟର କର୍ତୃପକ୍ଷ ଏନେଇ କଣ ପାଇଁ କିଛି ନିଷ୍ପତି ନେଇ ପାରୁନାହାନ୍ତି ବୋଲି ସେମନେ ପ୍ରଶ୍ନ କରିଥିଲେ । ତେବେ ଏହି ଆନ୍ଦୋଳନରେ ଉତ୍କଳ ବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ୯ ଟି କଲେଜର ବିଏଡ୍ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।