ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟ ପୁଲିସ୍ ବାହିନୀକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସରକାର ସାରା ରାଜ୍ୟରେ ୬ଟି ନୂଆ ଥାନା ଖୋଲିଛନ୍ତି । ଆଜି ଉକ୍ତ ୬ଟି ଥାନାକୁ ଭର୍ଚୁଆଲ ମାଧ୍ୟମରେ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିମଧ୍ୟରୁ ଭୁବନେଶ୍ୱରରେ ଖୋଲିବାକୁ ଥିବା ବହୁ ପ୍ରତୀକ୍ଷିତ ୨୫ ବର୍ଗ କିଲୋମିଟର ବିଶିଷ୍ଟ ଭରତପୁର ଥାନା ବୁଧବାର ଠାରୁ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏହି ୬ ଥାନାକୁ ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନ ୫ଟାରେ ଉଦ୍ଘାଟନ କରିବେ ବୋଲି ଜଣାପଡ଼ିଛି।
ଭରତପୁର ଥାନାରେ ଜଣେ ଇନ୍ସପେକ୍ଟରଙ୍କ ସମେତ ୨ ଜଣ ଏସ୍ଆଇ, ଜଣେ ଏଏସ୍ଆଇ ଓ ୨ ଜଣ କନଷ୍ଟେବଳଙ୍କୁ ନିଯୁକ୍ତି କରାଯାଇଛି । ଆଜି ମଧ୍ୟରାତ୍ରି ସୁଦ୍ଧା ସେମାନେ ନୂଆ ଥାନାରେ ଯୋଗ ଦେବା ପାଇଁ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଆଦେଶନାମା ଜାରି କରିଛନ୍ତି । ନବ ନିଯୁକ୍ତ ଅଧିକାରୀ ଓ କର୍ମଚାରୀମାନେ ଯେଉଁସବୁ ଥାନାରେ ଥିଲେ ସେଠାରୁ ସେମାନଙ୍କୁ ତୁରନ୍ତ ରିଲିଭ୍ କରିବା ପାଇଁ ସମ୍ପୃକ୍ତ ଏସିପିମାନଙ୍କୁ ଚିଠି ଲେଖାଯାଇଛି। ଏହି ନୂଆ ଥାନା ପାଇଁ ଇନ୍ସପେକ୍ଟରଙ୍କ ସମେତ ୬ ଏସ୍ଆଇ, ୩ ଏଏସ୍ଆଇ ଓ ୨୧ କନଷ୍ଟେବଳ ପଦ ସୃଷ୍ଟି କରାଯାଇଛି । ଏହି ଥାନାରେ ବିଏମ୍ସିର ୨୨, ୨୩, ୨୪, ୪୯ ୱାର୍ଡ ସମେତ ୧୭ଟି ଗାଁ ଓ ପାଇକରାପୁର ପଞ୍ଚାୟତ ରହିବ ।
୧୯୮୩ ମସିହାରେ ୨୦ ହଜାର ଜନସଂଖ୍ୟାକୁ ନେଇ ଖଣ୍ଡଗିରି ଥାନା ଆରମ୍ଭ ହୋଇଥିଲା। ୨୦୨୦ରେ ଖଣ୍ଡଗିରି ଥାନା ଅଞ୍ଚଳରେ ୪ ଲକ୍ଷରୁ ଅଧିକ ଲୋକ ରହୁଛନ୍ତି। ଲୋକସଂଖ୍ୟା ବଢ଼ିବାରୁ ଅପରାଧ ମଧ୍ୟ ବଢ଼ି ଚାଲିଛି। ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ପାଇଁ ଏହି ଥାନାକୁ ନାକେଦମ ହେବାକୁ ପଡ଼ୁଛି। ଏଣୁ ଖଣ୍ଡଗିରି ଥାନାକୁ ୨ ଭାଗ କରି ଭରତପୁରରେ ନୂଆ ଥାନା କରିବା ପାଇଁ ପୂର୍ବତନ ପୁଲିସ କମିଶନର ରାଜ୍ୟ ସରକାରଙ୍କୁ ସୁପାରିସ କରିଥିଲେ। ମୁଖ୍ୟମନ୍ତ୍ରୀ କମିଶନରଙ୍କ ସୁପାରିସକୁ ସ୍ୱୀକୃତି ଦେଇଥିଲେ। ଏହି ଅଞ୍ଚଳର ସମସ୍ତ ପୁରୁଣା ମାମଲା ଖଣ୍ଡଗିରି ଥାନାରୁ ଭରତପୁର ଥାନାକୁ ମଧ୍ୟ ସ୍ଥାନାନ୍ତର ହେବ ବୋଲି ଜଣାପଡିଛି।