ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର; ଓଡିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ ଘଟିଛି। ରାତି ୧୨.୩୦ ମିନିଟରେ ତାଙ୍କ ପରଲୋକ ଘଟିଛି ।ତେବେ ଅସୁସ୍ଥତା କାରଣରୁ ତାଙ୍କୁ ଗତ ରବିବାର ରାତିରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ୮୪ ବର୍ଷୀୟ ଶ୍ରୀ ମହାପାତ୍ର ନିମୋନିଆ ଏବଂ କିଡ୍ନୀ ଜନିତ ରୋଗରେ ପୀଡ଼ିତ ଥିଲେ ।
ଶ୍ରୀ ମହାପାତ୍ର ଓଡ଼ିଆ ସିନେମା ଜଗତରେ ସଙ୍ଗୀତ ଜଗତରେ ଟ୍ରେଣ୍ଡ୍ ସେଟର୍ ଥିଲେ । ଆଜି ପର୍ଯ୍ୟନ୍ତ ସେ ସଙ୍ଗୀତ ସାଧନାରେ ଲିପ୍ତ ରହିଥିଲେ। ଯେତେବେଳେ ସମୟ ପାଉଥିଲେ ହାର୍ମୋନିୟମ୍ ଧରି ସୁର୍ କରିବାରେ ବ୍ୟସ୍ତ ରହୁଥିଲେ। । ମଡର୍ଣ୍ଣ ଓଡ଼ିଆ ବାଲାଡ, ଆକାଶବାଣୀରେ ମଡର୍ଣ୍ଣ ଲୁଲାବେ, ପ୍ରଥମ କୱାଲି ଏବଂ ଭାଙ୍ଗରା ଟ୍ୱିନ୍କୁ ନେଇ ଫ୍ୟୁଜନ୍ ଗୀତ କରିବାରେ ପ୍ରଥମ ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଶ୍ରୀ ମହାପାତ୍ର।
ସେ ପାଖାପାଖି ୧୯୦୦ ଗୀତର ସଂଯୋଜନା କରିଛନ୍ତି। ସେଥିରେ ୫୩ଟି ଫିଚର୍ ଓ ଟେଲି ଫିଲ୍ମ, ୧୦ ଯାତ୍ରା, ୬୦ ଆକାଶବାଣୀ ନାଟକ, ୧୦ ନୃତ୍ୟନାଟିକା ରହିଛି। ତାଙ୍କ ନିର୍ଦ୍ଦେଶିତ ଲୋକପ୍ରିୟ ଗୀତ ମଧ୍ୟରେ ‘ସେଇ ଚୁନା ଚୁନା’, ‘ମୟୂରୀ ଗୋ’, ‘ମୁଁ ତ ଥିଲି ଏକୁଟିଆ’, ‘ଏଇ ଜୀବନଟା ଏକ ନାଟକ’, ‘ଆଗୋ ଚନ୍ଦ୍ରିକା’ ଓ ‘ନୂପୂର ବଜାଏ କିଏ’ ଆଦି ଅନ୍ୟତମ । ସଙ୍ଗୀତ ଜଗତକୁ ଅନବଦ୍ୟ ଅବଦାନ ଲାଗି ତାଙ୍କୁ ୨୦୧୧ରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ଡିଲିଟ୍ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ତେବେ ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ ପ୍ରକାଶ କରିଛନ୍ତି ।
ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ। ସ୍ୱତନ୍ତ୍ର ସଙ୍ଗୀତ ସଂଯୋଜନା ଶୈଳୀ ମାଧ୍ୟମରେ ଚିଲିକା ତୀରେ,ଅଗ୍ନିପରୀକ୍ଷା ଓ ମେଘମୁକ୍ତି ଆଦି ଚଳଚ୍ଚିତ୍ରରେ ସେ ଛାଡି ଯାଇଥିବା ଛାପ ସର୍ବଦା ସ୍ମରଣୀୟ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) December 30, 2020