ସନ୍ଷ୍ଟାର ଟିଭି ବ୍ୟୁରୋ
ଆଉ ଦିନକ ପରେ ନୂଆବର୍ଷ, ତେବେ ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ନୂଆ ଗାଇଡଲାଇନ। ଏହି ଗାଇଡଲାଇନ ଅନୁସାରେ, ଟ୍ୱିନସିଟିରେ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ । ଏହା ସହ ପ୍ରତି ଶନିବାର ମଧ୍ୟ ଅଫିସ ବନ୍ଦ ରହିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାନୁଆରୀ ମାସ ପାଇଁ ଏହି ଗାଇଡଲାଇନ ଜାରି କରାଯାଇଥିବା ବେଳେ ଅଫିସ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି।
କେବଳ ଜରୁରିକାଳୀନ ବିଭାଗ ଅଧିନରେ ଆସୁଥିବା ଅଫିସ ଗୁଡ଼ିକ ସମସ୍ତ କର୍ମଚାରୀଙ୍କୁ ନେଇ ଚାଲିବ। ଏସଆରସି, ଓଏସଡିଏମଏ, ପୁଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ ବିଭାଗ ଭଳି ଜରୁରୀକାଳୀନ ଅଫିସ ଗୁଡିକୁ ସମସ୍ତ କର୍ମଚାରୀ ଆସିବେ । ଅତ୍ୟାବଶ୍ୟକ ପଡ଼ିଲେ ସରକାରୀ କାର୍ଯ୍ୟ ପାଇଁ ସମ୍ପୃକ୍ତ କର୍ମଚାରୀଙ୍କୁ ଅଫିସ ଆସିବାକୁ ପଡ଼ିବ। ସେଥିପାଇଁ ସମସ୍ତ କର୍ମଚାରୀଙ୍କୁ ଟେଲିଫୋନ୍ ଓ ମୋବାଇଲ ଫୋନ୍ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଫିସ୍ ଆସୁଥିବା କର୍ମଚାରୀମାନଙ୍କୁ କୋଭିଡ୍ ସଂକ୍ରମଣ ପ୍ରତିହତ ପାଇଁ ଥିବା ସମସ୍ତ ପ୍ରକାର ସତର୍କତା ନିୟମ ଅନୁପାଳନ କରିବାକୁ ପ୍ରମୁଖ ଶାସନ ସଚିବ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।