ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ :ବ୍ରିଟେନରେ ଦେଖାଯାଇଥିବା କରୋନାର ନୂତନ ଷ୍ଟ୍ରେନ ଏବେ ଭାରତରେ ଦେଖାଯାଇଛି । ଯାହା ପାଇଁ ଚିନ୍ତାରେ ଅଛନ୍ତି ଭାରତ ସରକାର ।ତେବେ କରୋନାର ନୂଆ ଷ୍ଟ୍ରେନ ବିଷୟରେ ଅଧିକ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଏହି ନୂଆ କରୋନା ଭୁତାଣୁର ସଂକ୍ରମଣ ହାର ବେଶ ଅଧିକ । ଏହା ସହଜରେ ଓ ଦ୍ରୁତ ଗତିରେ ଜଣକ ଶରୀରରୁ ଅନ୍ୟମାନଙ୍କ ଶରୀରକୁ ସଂକ୍ରମିତ ହୋଇଯାଉଛି । ତେବେ ପ୍ରସ୍ତୁତ ହୋଇଥିବା କରୋନା ଟିକା ସବୁ ପ୍ରକାରର କରୋନା ଭୁତାଣୁ ବିରୋଧରେ ଲଢି ପାରିବ ।
କେନ୍ଦ୍ର ସରକାରଙ୍କ ସାମ୍ବାଦିକ ସମ୍ମିଳନୀରେ ସ୍ବାସ୍ଥ୍ୟ ସଚିବ ରାଜେଶ ଭୁଷଣ କହିଛନ୍ତି ଯେ ପୂର୍ବରୁ ପ୍ରାୟ ୫ ହଜାର ଜିନୋମ୍ ସିକ୍ବେନ୍ସ କରାଯାଇଥିଲା । କିନ୍ତୁ ଏବେ ନୂଆ ଭୁତାଣୁ ଆସିବା ପରେ ଦେଶରେ ଜିନୋମ ସିକ୍ବେନ୍ସ କୁ ବୃଦ୍ଧି କରାଯିବ । ଏଥିପାଇଁ ସରକାର ବିଭିନ୍ନ ବିଭାଗ ସହ ସମନ୍ବୟ ରଖି କାର୍ଯ୍ୟ କରୁଛନ୍ତି । ନୂଆ ନୂଆ ଭୁତାଣୁଗୁଡ଼ିକର ଜିନୋମ ସିକ୍ବେନ୍ସିଂ ପାଇଁ ସରକାର ୧୦ଟି ସରକାରୀ ଲାବରୋଟୋରୀକୁ ନେଇ ଏକ କନସୋର୍ଟିୟମ ଗଠନ କରିଛନ୍ତି । ଏହା ଦ୍ବାରା ଭୁତାଣୁଗୁଡ଼ିକର ପ୍ରକୃତ କିସମ ଜଣାପଡ଼ିବ ।
ଏହି ଅବସରରେ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ.ବିଜୟ ରାଘବନ କହିଛନ୍ତି ଯେ ଦେଶରେ ପ୍ରସ୍ତୁତ କରାଯାଉଥିବା କରୋନା ଟିକାଗୁଡ଼ିକ କରୋନା ଭୁତାଣୁର ସବୁ ପ୍ରକାରର ଷ୍ଟେନ ବିରୋଧରେ ପ୍ରଭାବୀ ରହିବ । ଏଗୁଡ଼ିକ ବିଫଳ ହେବାର କୌଣସି କାରଣ ନାହିଁ ।