ସନ୍ଷ୍ଟାର ଟିଭି ବ୍ୟୁରୋ
ରବିବାର ଚଳିତ ବର୍ଷର ଶେଷ ମନ କି ବାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶବାସୀଙ୍କୁ ରେଡିଓ ଜରିଆରେ ଉଦ୍ବୋଧନ ଦେଇଛନ୍ତି । ସବୁ ଦେଶବାସୀଙ୍କୁ ନମସ୍କାର କହି ମନ କି ବାତ୍ ଆରମ୍ଭ କଲେ ପିଏମ୍ ମୋଦି । କହିଲେ ଆଜି ୨୭ ଡିସେମ୍ବର । ୪ ଦିନ ପରେ ବର୍ଷ ସରିଯିବ ଏବଂ ଆଗାମୀ ମନ କି ବାତ୍ ୨୦୨୧ରେ ହେବ । ଚଳିତ ବର୍ଷ ଅନେକ ସଂଘର୍ଷ ଓ ସଙ୍କଟ ଆସିଛି ହେଲେ ଆମେ ସାହସର ସହିତ ସବୁ ସଙ୍କଟର ସାମ୍ନା କରିଛୁ ଏବଂ ନୂଆ ସାମର୍ଥ୍ୟ ସୃଷ୍ଟି କରିଛୁ ।
ମୋଦି ଏହା ମଧ୍ୟ କହିଛନ୍ତି ଯେ, ଆମେ ଭୋକାଲ୍ ଫର୍ ଲୋକାଲ୍ ଭାବନା ରଖିବା ଏବଂ ଏହି ଭାବନାକୁ ଆମେ ସର୍ବଦା ବଞ୍ଚେଇ ରଖିବା ସହ ସ୍ୱଦେଶୀ ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱ ଦେବା । ଆପଣ ପ୍ରତି ବର୍ଷ ନୂଆ ସଙ୍କଳ୍ପ ନେଉଛନ୍ତି । ଏଥର ମଧ୍ୟ ସଙ୍କଳ୍ପ ନିଅନ୍ତୁ । କିନ୍ତୁ ନିଜ ଦେଶ ପାଇଁ । ୨୦୨୧ରେ ଆମ ଦେଶ ସଫଳତାର ନୂଆ ଶିଖର ଛୁଇଁବ ଏବଂ ବିଶ୍ୱରେ ଭାରତର ପରିଚୟ ଅଧିକ ସଶକ୍ତ ହେବ । ଏହି କାମନାଠୁ ଆଉ କିଛି ବଡ ହୋଇନପାରେ ବୋଲି ମୋଦି କହିଛନ୍ତି ।
ଭାରତରେ କଲରା ପତରିଆଙ୍କ ସଂଖ୍ୟାରେ ୨୦୧୪ରୁ ୨୦୧୮ ମଧ୍ୟରେ ୬୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି । ୨୦୧୪ରେ ସଂଖ୍ୟା ପ୍ରାୟ ୭୯୦୦ ଥିଲା କିନ୍ତୁ ୨୦୧୯ରେ ଏମାନଙ୍କ ସଂଖ୍ୟା ବଢି ୧୨,୮୫୨ ହୋଇଗଲା । କଲରାପତରିଆଙ୍କ ସମ୍ପର୍କରେ ପ୍ରଧାନ ମନ୍ତ୍ରୀ କହିଛନ୍ତି କି ‘ଯେଉଁମାନେ କଲରାପତରିଆଙ୍କୁ ସ୍ୱାଧୀନତାର ସହିତ ବୁଲିବା ଦେଖିନାହାଁନ୍ତି ସେମାନେ ତାର ସୌନ୍ଦର୍ଯ୍ୟ କଳ୍ପନା କରିପାରିବେନି ।’ କଲରାପତରିଆଙ୍କ ସବୁଠାରୁ ଅଧିକ ସଂଖ୍ୟା ଥିବା ରାଜ୍ୟ ମଧ୍ୟପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ସବୁଠାରୁ ଉପରେ ଏବଂ ଏହା ଏକ ବଡ ଉପଲବ୍ଧି ବୋଲି ମୋଦି କହିଛନ୍ତି ।