ସନ୍ଷ୍ଟାର ଟିଭି ବ୍ୟୁରୋ
କୋଲକାତା: ଗତ କାଲି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଦ୍ଵାରା ଦେଶର ୯ ହଜାର କୋଟି ଲୋକଙ୍କ ବ୍ୟାଙ୍କ ଖାତାକୁ ୧୮ହଜାର କୋଟି ଟଙ୍କା ପଠାଇଛନ୍ତି । ତେବେ ଏହି ଯୋଜନା ପଶ୍ଚିମବଙ୍ଗରେ ରାଜ୍ୟ ସରକାର ଲାଗୁ କରୁ ନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ଅଭିଯୋଗ କରିଛନ୍ତି। ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ପାଲଟା ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ, ଏ ରାଜ୍ୟର କୃଷକମାନଙ୍କ ପାଇଁ କେନ୍ଦ୍ର ସରକାର କିଛି କରି ନାହାନ୍ତି ଏବଂ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ପଥଭ୍ରଷ୍ଟ କରୁଛନ୍ତି। ପ୍ରଧାନମନ୍ତ୍ରୀ ଆଜି କୃଷକମାନଙ୍କ ଦାବି ସମ୍ପର୍କରେ ନକହି ନିଜର ଚିନ୍ତା ପ୍ରକଟ କରିଛନ୍ତି। ମୋଦି ବାରମ୍ବାର କହୁଛନ୍ତି ପଶ୍ଚିମବଙ୍ଗ କୃଷକମାନଙ୍କୁ ସାହାଯ୍ୟ କରିବାକୁ ଚାହୁଛନ୍ତି, କିନ୍ତୁ ରାଜ୍ୟ ସରକାର ଏଥିରେ ବାଧକ ସାଜିଛନ୍ତି। ପ୍ରକୃତରେ ସେ ଏ ରାଜ୍ୟର କୃଷକମାନଙ୍କ ପାଇଁ କିଛି କରି ନାହାନ୍ତି। କେନ୍ଦ୍ର ସରକାର ପଶ୍ଚିମବଙ୍ଗକୁ ୮୫ ହଜାର କୋଟି ଟଙ୍କା ବକେୟା ଦେବାକୁ ରହିଛି। ଏଥିରେ ୮ ହଜାର କୋଟି ଅନ୍ପେଡ୍ ଜିଏସ୍ଟି ବକେୟା ବି ସାମିଲ ଅଛି। ଏହି ବକେୟା ଦେବା ବଦଳରେ ପ୍ରଧାନମନ୍ତ୍ରୀ ଲୋକଙ୍କୁ କାହିଁକି ପଥଭ୍ରଷ୍ଟ କରୁଛନ୍ତି ବୋଲି ମମତା ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଆଜି କହିଥିଲେ ଯେ ରାଜ୍ୟ ସରକାରଙ୍କ ରାଜନୈତିକ ଉଦ୍ଦେଶ୍ୟ କାରଣରୁ ବଙ୍ଗଳାର କୃଷକମାନେ ସେମାନଙ୍କ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ବାମ ଦଳକୁ ଉଦ୍ଦେଶ୍ୟ କରି ମୋଦି କହିଥିଲେ, କୃଷକମାନଙ୍କ ପ୍ରତି ଯଦି ତୁମର ଦରଦ ରହିଛି, ତା’ହେଲେ କୃଷକମାନଙ୍କୁ ନ୍ୟାୟ ଦାବିରେ ରାଜ୍ୟ ସରକାରଙ୍କ ବିରୋଧରେ କାହିଁକି ଆନ୍ଦୋଳନ କରୁ ନାହଁ? ପଶ୍ଚିମବଂଗ ସରକାର ବିରୋଧରେ ଏବେ ବାମପନ୍ଥୀଙ୍କ ସ୍ବର କାହିଁକି ଦବି ଯାଇଛି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି।