ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ସାରା ରାଜ୍ୟରେ ପାଳନ ହେଉଛି ଖ୍ରୀଷ୍ଟମାସ ବା ବଡଦିନ । ପ୍ରାୟ ନଅ ମାସ ପରେ ଗୀର୍ଜାଗୁଡ଼ିକ ଆଜି ଖୋଲାଯାଇଛି । ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ ଭୁବନେଶ୍ବର, କଟକ ସମେତ ଓଡ଼ିଶାର ବିଭିନ୍ନ ଗୀର୍ଜାରେ ପାଳନ ହେଉଛି ବଡ଼ଦିନ ।
ଭୁବନେଶ୍ଵରରେ ସତ୍ୟ ନଗର ଗୀର୍ଜା ମଧ୍ୟ ଉତ୍ସବମୁଖର ହୋଇଛି । ଗତ କାଲି ମଧ୍ୟରାତ୍ରରେ ଅର୍ଥାତ୍ ଡିସେମ୍ଵର ୨୫ ରାତି ୧୨ ଟାରେ ଧରାପୃଷ୍ଟକୁ ଆଗମନ କରିଛନ୍ତି ପ୍ରଭୁ ଯୀଶୁ । ତାଙ୍କୁ ସ୍ୱାଗତ କରିବା ପାଇଁ ତଥା ଭକ୍ତି ଅର୍ଘ୍ୟ ଢାଳିବା ପାଇଁ ପ୍ରାୟ ୩ଟା ଯାଏଁ ଖୋଲାଥିଲା ବିଭିନ୍ନ ଚର୍ଚ୍ଚ । ରଙ୍ଗ ବେରଙ୍ଗର ଆଲୋକରେ ଝଲସୁଥିଲା ଚର୍ଚ୍ଚ ।ବଡଦିନର ଏହି ମହାର୍ଘ୍ୟ ଅବସରରେ ଦେଶ ତଥା ରାଜ୍ୟର ବିଭିନ୍ନ ଚର୍ଚରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାଗିଥିଲା ଗହଳ ଚହଳ । ଠିକ ମଧ୍ୟ ରାତିରେ ପ୍ରତୀକଧର୍ମୀ ଗହାଳ ଭିତରେ ମଦର ମେରିଙ୍କ ଗର୍ଭରୁ ଯୀଶୁ ଅବତରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ଶୁଭେଚ୍ଛାର ପର୍ବ । ପରସ୍ପରକୁ ଆଲିଙ୍ଗନ କରି ବଡ ଦିନର ଶୁଭେଚ୍ଛା ଜଣାଇଥିଲେ । ଏହାସହ ବାଇବେଲ ପାଠ ଓ ପ୍ରାର୍ଥନାରେ ମସଗୁଲ ହୋଇଥିଲେ ସାରା ଖ୍ରୀଷ୍ଟିଆନ ସଂପ୍ରଦାୟ ।
ତେବେ କୋଭିଡ ୧୯ ଗାଇଡଲାଇନ ମାନି ବଡ ଦିନ ପାଳନ କରାଯିବ ବୋଲି କହିଛନ୍ତି ଆର୍ଚ ବିଶପ । କେବଳ ଖ୍ରୀଷ୍ଟଧର୍ମର ଧର୍ମାଲବମ୍ଵୀ ଲୋକ ଆସିପାରିବେ । ତେବେ ଏକାଥରକରେ ୧୪୦ ଜଣ ଗୀର୍ଜା ମଧ୍ୟରେ ପ୍ରବେଶ କରିପାରିବେ ।