ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଅବସର ନେବେ ରାଜ୍ୟର ମୁଖ୍ୟ ଶାସନ ସଚିବ । ନୂଆବର୍ଷରେ ଆସିବେ ନୂଆ ମୁଖ୍ୟ ଶାସନ ସଚିବ । ତେବେ କାହା ମୁଣ୍ଡରେ ରହିବ ସୁନା କଳସ? ସରକାର କାହାକୁ ବାଛିବେ? ଏହାକୁ ନେଇ ଏବେ ଲୋକସେବା ଭବନ ପାୱାର କରିଡରରେ ଜୋରଦାର ଚର୍ଚ୍ଚା ଚାଲିଛି । ତୃତୀୟ ମହଲା କାହାକୁ ଭରସା କରି ଏ ଗୁରୁ ଦାୟିତ୍ୱ ଦେବ ତାହା ଉପରେ ଏବେ ସମସ୍ତଙ୍କ ନଜର । ଆସନ୍ତା ଡିସେମ୍ବର ୩୧ରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ କାର୍ଯ୍ୟକାଳ ଶେଷ ହେଉଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଅସିତ୍ଙ୍କ ପରେ କିଏ ରାଜ୍ୟ ପ୍ରଶାସନର ମଙ୍ଗ ଧରିବ ଏ ପ୍ରଶ୍ନ ଏବେ ଘୂରି ବୁଲୁଛି କରୋନା ପରବର୍ତ୍ତୀ ଚାଲେଞ୍ଜ ଏବେ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏଭଳି ସମୟରେ ତାଳମେଳ ରଖି କିଏ ପ୍ରଶାସନକୁ ଲୋକାଭିମୁଖୀ କରାଇପାରିବେ ତାହାକୁ ତୃତୀୟ ମହଲା ଅନୁଧ୍ୟାନ କରୁଛି । ଯିଏ ସରକାରଙ୍କ ଦୃଷ୍ଟିରେ ଯୋଗ୍ୟ ହେବେ ସରକାର ତାଙ୍କୁ ଏ ମୁଖିଆ ପଦରେ ବସାଇବେ ।
ସମସ୍ତଙ୍କ ନଜର ଏବେ ସୁରେଶ ମହାପାତ୍ରଙ୍କ ଉପରେ । ୧୯୮୬ ବ୍ୟାଚ୍ ଆଇଏଏସ୍ ଶ୍ରୀ ମହାପାତ୍ର ଏବେ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ତୁଲାଉଛନ୍ତି । ୨୦୧୯ରେ ଅସିତଙ୍କ ସହ ସୁରେଶ ମଧ୍ୟ ମୁଖ୍ୟ ସଚିବ ଦୌଡ଼ରେ ଥିଲେ । ମାତ୍ର ସରକାର ଅସିତଙ୍କୁ ଭରସା କରିଥିଲେ । ତେଣୁ ଏଥର ସରକାର ତାଙ୍କ ପ୍ରତି ନିଶ୍ଚୟ ଆସ୍ଥା ପ୍ରକଟ କରି ଏ ଗୁରୁ ଦାୟିତ୍ୱ ଦେବେ ବୋଲି କୁହାଯାଉଛି । ସେ ଯଦି ଦାୟିତ୍ୱ ନିଅନ୍ତି ତେବେ ୨୦୨୨ ଫେବ୍ର୍ରୁଆରୀ ଯାଏ ତାଙ୍କ କାର୍ଯ୍ୟକାଳ ରହିବ । ସୁରେଶଙ୍କ ଦକ୍ଷତା, ଅଭିଜ୍ଞତା ଓ ନିଷ୍ଠା ତାଙ୍କ ରାସ୍ତାକୁ ସୁଗମ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ସରକାର ସୁରେଶଙ୍କୁ ବାଛିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସୁରେଶଙ୍କ ପରେ କେନ୍ଦ୍ରୀୟ ଡେପୁଟେସନରେ ଥିବା ରାଜେଶ ବର୍ମାଙ୍କ ନାଁକୁ ନେଇ ଆଇଏଏସ୍ ମହଲରେ ଆଲୋଚନା ହେଉଛି । ୧୯୮୭ ବ୍ୟାଚ୍ର ଶ୍ରୀ ବର୍ମା ମଧ୍ୟ ବେଶ ଦକ୍ଷତାର ସହ ବିଭିନ୍ନ ପଦ ପଦବିରେ କାମ କରିଛନ୍ତି । ତେବେ ସରକାର କାହାକୁ ବାଛିବେ ତାହା ସ୍ପଷ୍ଟ ହୋଇନାହିଁ ।
ସୁରେଶ ଯଦି ମୁଖ୍ୟ ସଚିବ ପାହ୍ୟାକୁ ଯାଆନ୍ତି ତେବେ ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ପଦବି ଉନ୍ନୟନ କମିଶନର ପଦରେ କିଏ ବସିବେ? ଏଥିପାଇଁ ୧୯୮୭ ବ୍ୟାଚର ଆଇଏଏସ୍ ରାଜକୁମାର ଶର୍ମାଙ୍କ ନାମ ଶୁଣାଯାଉଛି । କୃଷି ଉତ୍ପାଦନ କମିଶନର ଭାବେ ସେ ଏବେ କାମ କରୁଛନ୍ତି । ଉନ୍ନୟନ କମିଶନର ପଦ ପାଇଁ ମଧ୍ୟ ସରକାର ନିଜ ପସନ୍ଦର ବ୍ୟକ୍ତିଙ୍କୁ ବାଛିବେ । ତେବେ ସବୁକିଛି ତୃତୀୟ ମହଲାର ନିଷ୍ପତ୍ତି ଉପରେ ନିର୍ଭର କରୁଛି । ଚଳିତ ସପ୍ତାହରେ ଏ ନେଇ ଚିତ୍ର ସ୍ପଷ୍ଟ ହେବ ।