ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ବ୍ରିଟେନରେ ଦେଖାଯାଇଥିବା କରୋନାର ନୂତନ ଭାଇରସ (N501Y) ସାରା ବିଶ୍ଵର ଚିନ୍ତାର କାରଣ ସାଜିଛି ।ଆଜି ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଜଣେ ବ୍ରିଟେନ ଫେରନ୍ତା କରୋନା ଚିହ୍ନଟ ହେବା ପରେ ସରକାରଙ୍କ ଚିନ୍ତା ବଢିଯାଇଛି । ବିଦେଶ ଫେରନ୍ତାଙ୍କ ପାଇଁ ଭୁବନେଶ୍ଵର ବିମାନ ବନ୍ଦରରେ ନୂଆ ଏସ୍ଓପି ଜାରି କରିଛନ୍ତି ରାଜ୍ୟ ସରକାର ।
ଏସ୍ଓପିରେ ଲକ୍ଷଣ ଥିବା ୫୫ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଯାତ୍ରୀଙ୍କର ଆଣ୍ଟିଜେନ୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଏହା ସହ ବିଦେଶ ଫେରନ୍ତା ଯାତ୍ରୀଙ୍କ ସମ୍ପର୍କରେ ସୂଚନାଦେବା ପାଇଁ ସମସ୍ତ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ବିମାନ ବନ୍ଦର ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି । ବିମାନ ବନ୍ଦର ଟର୍ମିନାଲ ପରିସରରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ଵତନ୍ତ୍ର କିଓସ୍କରେ ଯାତ୍ରୀଙ୍କ ଯାଞ୍ଚ ନେଇ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଦିନ ପ୍ରାୟ ୨୭ଟି ବିମାନ ଆସୁଛି ଓ ୨୭ଟି ବିମାନ ଭୁବନେଶ୍ବରରୁ ଉଡାଣ କରୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଏସଓପି ଜାରି କରାଯାଇଛି ବୋଲି ଭୁବନେଶ୍ୱର ବିମାନ ବନ୍ଦର କାର୍ଯ୍ୟକାରୀ ନିର୍ଦ୍ଦେଶକ ଗୌତମ ରାୟ ସୂଚନା ଦେଇଛନ୍ତି।