ସନ୍ଷ୍ଟାର ଟିଭି ବ୍ୟୁରୋ
image courtesy ANI
ନୂଆଦିଲ୍ଲୀ : ଶୁଣିବାକୁ ମିଳୁଛି କରୋନାର ପରବର୍ତ୍ତିତ ପ୍ରଜାତିର ଏକ ନୂଆ ଭୂତାଣୁ ଦେଖାଗଲାଣି । ହେଲେ ଭାରତରେ ଏପର୍ଯ୍ୟନ୍ତ ଏହି ଅନ୍ୟ ପ୍ରଜାତିର ଭୂତାଣୁ ଚିହ୍ନଟ ହୋଇନାହିଁ । ଲଣ୍ଡନରେ ଚିହ୍ନଟ ହୋଇଥିବା ଏହି ଭୁତାଣୁ ଦ୍ରୁତ ଗତିରେ ସଂକ୍ରମିତ ହେଉଛି । କିନ୍ତୁ ଏହା ଦ୍ବାରା ଆମ ଦେଶରେ ତିଆରି ହେଉଥିବା ଟିକା କୌଣସି ପ୍ରକାରେ ପ୍ରଭାବିତ ହେବ ନାହିଁ ବୋଲି ନିତି ଆୟୋଗ (ସ୍ବାସ୍ଥ୍ୟ) ସଦସ୍ୟ ଡ. ଭି.କେ.ପଲ କହିଛନ୍ତି ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ନୂଆ କରୋନା ଭୁତାଣୁ ଆସିବା ପରେ ମୃତ୍ୟୁହାର ବୃଦ୍ଧି ପାଇଥିବା ଦେଖାଯାଇନାହିଁ । ଏଣୁ ଏହାକୁ ନେଇ ସେତେଟା ଆତଙ୍କିତ ହେବାର ଆବଶ୍ୟକତା ନାହିଁ । ହେଲେ ଆମକୁ ସତର୍କ ରହିବାକୁ ପଡ଼ିବ ।
ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୁଷଣ କହିଛନ୍ତି ଯେ, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଲକ୍ଷ ତଳକୁ ଖସିଯାଇଛି । ସେହିପରି ସକ୍ରିୟ ଆକ୍ରାନ୍ତ ସଂଖ୍ୟା ମୋଟ ଆକ୍ରାନ୍ତ ସଂଖ୍ୟାର ୩ ପ୍ରତିଶତରୁ କମ ରହିଛି । ଗତ ୭ ସପ୍ତାହ ହେଲା ଦେଶରେ ଦୈନିକ ହାରାହାରି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଏହା ସହିତ ଆରୋଗ୍ୟ ହାର ୯୫ ପ୍ରତିଶତକୁ ଟପିଯାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୭ ପ୍ରତିଶତ ମଧ୍ୟପ୍ରଦେଶ ତାମିଲନାଡ଼ୁ,ଛତିଶଗଡ଼,ପଶ୍ଚିମବଙ୍ଗ,ମହାରାଷ୍ଟ୍ର ଓ କେରଳରେ ଦେଖାଯାଇଛି ବୋଲି ସେ କହିଛନ୍ତି ।